ପୃଥିବୀର ଜୀବାଣୁ ଏହି ମହାକାଶ ଇଟା ତିଆରି ପାଇଁ ବ୍ୟବହାର ହେଉଛନ୍ତି । ମଙ୍ଗଳ ଗ୍ରହରୁ ଅଣାଯାଇଥିବା ମାଟିରେ ସ୍ପୋରୋସାରସିନା, ପେଷ୍ଟୁରି ଭଳି ଜୀବାଣୁ ସହ ୟୁରିଆ ଏବଂ ନିକେଲ୍ କ୍ଲୋରାଇଡ୍ ମିଶା ଯାଇ ପ୍ରସ୍ତୁତ କରା ଯାଇଛି । ଏଥିରେ ଥିବା ଜୀବାଣୁ ୟୁରିଆକୁ କ୍ୟାଲସିୟମ କାର୍ବୋନେଟ କ୍ରିଷ୍ଟାଲରେ ପରିଣତ କରି ଇଟାକୁ ସମ୍ପୂର୍ଣ୍ଣ କଠିନ କରି ଦିଅନ୍ତି ।
ଚନ୍ଦ୍ର ମାଟିରେ ବି ସମାନ ପ୍ରକାରର ଇଟା ତିଆରି ପରୀକ୍ଷଣ କରା ହୋଇଛି । ଚନ୍ଦ୍ର ମାଟି ଅପେକ୍ଷା ମଙ୍ଗଳ ମାଟିରୁ ଇଟା ତିଆରି କରିବା କଷ୍ଟକର । ଲୋହିତ ଗ୍ରହ ମଙ୍ଗଳର ମାଟିରେ ଆଇରନ ଅକ୍ସାଇଡର ମାତ୍ରା ବହୁତ ଅଧିକ । ତେଣୁ ଏଥିରେ ଜୀବାଣୁ ବଂଶ ବିସ୍ତାର କରିବା ସହଜ ନୁହେଁ । ଜୀବାଣୁଙ୍କ ପାଇଁ ମଙ୍ଗଳ ମାଟିକୁ ଅନୁକୂଳ କରିବା ପାଇଁ ନିକେଲ୍ କ୍ଲୋରାଇଡ୍ ବ୍ୟବହାର କରା ହେଉଛି ।
ଏବେ ଏହି ମହାକାଶ ଇଟା ମାନଙ୍କର କେବଳ ପ୍ରୋଟୋଟାଇପ୍ ନିର୍ମାଣ କରା ହୋଇଛି । ଏହି ଇଟାକୁ ପ୍ରକୃତ ବ୍ୟବହାର ଉପଯୋଗୀ କରିବା ପାଇଁ ଆହୁରି ଅନେକ ଗବେଷଣା ବାକି। ପୃଥିବୀ ଏବଂ ମଙ୍ଗଳ ଗ୍ରହର ପରିବେଶ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ । ମଙ୍ଗଳ ଗ୍ରହରେ କାର୍ବନ ଡାଇଅକ୍ସାଇଡ୍ ପରିମାଣ ବହୁତ ଅଧିକ ଓ ଏହାର ମାଧ୍ୟାକର୍ଷଣ ଶକ୍ତି ବି ବହୁତ କମ । ଏହା ମଙ୍ଗଳ ଗ୍ରହ ଇଟାରେ ବ୍ୟବହାର ହେଉଥିବା ଜୀବାଣୁ ମାନଙ୍କୁ ପ୍ରଭାବିତ କରି ପାରନ୍ତି ।