ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଫିଦାୟିନ ଆତଙ୍କବାଦୀକୁ ରୁଷର ପୋଲିସ ଗତ ଜୁଲାଇ ମାସରେ ଗିରଫ କରିଥିଲା । ସେତେବେଳେ ରୁଷର ସୁରକ୍ଷା ଏଜେନ୍ସି ମାନେ କହିଥିଲେ ଯେ ଏହି ଫିଦାୟିନ ଇସଲାମିକ ଆତଙ୍କବାଦୀ ଜଣକ ସୁଇସାଇଡ ବୋମର ଭାବେ ଭାରତରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁଥିଲା ।
ଗିରଫ ହୋଇଥିବା ଏହି ଫିଦାୟିନ ଆତଙ୍କବାଦୀ ଜଣକ ଉଜବେକିସ୍ତାନର ନାଗରିକ । ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ଉଜବେକିସ୍ତାନର ମଧ୍ୟ ମଞ୍ଜୁରୀ ନିଆଯାଉଛି । ତାକୁ ଗିରଫ କରିବା ପରେ ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଏକ ଭିଡିଓ ଜାରି କରିଥିଲା । ଏହି ଭିଡିଓରେ ଫିଦାୟିନ ଆତଙ୍କବାଦୀ ଜଣଙ୍କ ଭାରତରେ ଆକ୍ରମଣ କରିବା ଓ ପ୍ରତିଶୋଧ ନେବା କଥା କହୁଥିଲା ।
ଏହି ଉଜବେକ ନାଗରିକ ଜଣଙ୍କ ଟେଲିଗ୍ରାମ ଜରିଆରେ ଆତଙ୍କବାଦୀ ସଂଗଠନ ଆଇଏସ ଆଇଏସର ସମ୍ପର୍କରେ ଆସିଥିଲା । ଏହି ପ୍ଲାଟଫର୍ମ ଜରିଆରେ ତାର ଆତଙ୍କବାଦୀ ମାନଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ତାକୁ ଆଇଏସଆଇଏସ ତୁର୍କୀରେ ଫିଦାୟିନ ଆତଙ୍କବାଦୀ ଭାବେ ଭର୍ତ୍ତି କରିଥିଲା । ଏହା ପରେ ତାକୁ କିର୍ଗିସ୍ତାନର ନାଗରିକ ସହିତ ଆତଙ୍କବାଦର ତାଲିମ ଦିଆଯାଇଥିଲା ।
ଏହା ପରେ ସେ ତାଜାକିସ୍ତାନରୁ ଭାରତ ସିଧା ଆସିବା ପରିବର୍ତ୍ତେ ରୁଷ ଯାଇଥିଲା । କାରଣ ରୁଷରୁ ଭାରତ ଆସିବା ତା ପାଇଁ ସହଜ ହେବ ଓ କମ ଜାଂଚରେ ସେ ଭାରତରେ ପ୍ରବେଶ କରି ପାରିବ ବୋଲି ଭାବି ସେ ରୁଷ ଯାଇଥିଲା । ମାତ୍ର ସେତେବେଳେ ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ତାକୁ ଗିରଫ କରି ନେଇଥିଲା ।
ଏହା ପରେ ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଭାରତକୁ ସମସ୍ତ ସୂଚନା ପ୍ରଦାନ କରି ସାରିଛି । ହେଲେ ଭାରତର ସୁରକ୍ଷା ଏଜେନ୍ସି ମାନେ ଏହି ଆତଙ୍କବାଦୀକୁ ପଚାରା ଉଚୁରା କରି ଭାରତରେ ତାର ଲିଙ୍କ୍ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି । ଭାରତରେ ଥିବା ଏକ ବ୍ୟକ୍ତି ତାକୁ ଏଠାରେ ଆବଶ୍ୟକ ହେଉଥିବା ଅସ୍ତ୍ର ଶସ୍ତ୍ର, କୋ ଅର୍ଡିନେଟ୍ସ ଓ ଗୁରୁତ୍ବପୂର୍ଣ ଲୋକଙ୍କ ସମ୍ପର୍କରେ ସୂଚନା ଦେବାର ଥିଲା । ତେଣୁ ଭାରତୀୟ ସୁରକ୍ଷା ଏଜେନ୍ସି ମାନେ ଭାରତ ରେ ତାର ଲିଂକକୁ ଖୋଜିବାକୁ ହେଲେ ତାକୁ ପଚରା ଉଚୁରା କରାଯିବା ଜରୁରୀ ବୋଲି ମନେ କରୁଛନ୍ତି ।
ଏହା ବାଦ ସୁରକ୍ଷା ଏଜେନ୍ସୀ ମାନେ ଏ ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ ତୁର୍କୀରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ପଛରେ କିଏ ରହିଛି । କେରଳ ଓ ତେଲାଙ୍ଗାନା ପରି ରାଜ୍ୟରେ ଇସଲାମିକ ଷ୍ଟେଟ ଖୁରାସାନ ଭଳି ଆତଙ୍କବାଦୀ ସଂଗଠନ ସେମାନଙ୍କର ସଂଗଠନ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି । ତେଣୁ ଉକ୍ତ ଆତଙ୍କବାଦୀକୁ ପଚରା ଉଚୁରା କଲେ ଅନେକ କିଛି ତଥ୍ୟ ମିଳି ପାରିବ ବୋଲି ଅନୁମାନ କରାଯାଉଛି ।
ବିଦେଶ ଖବର ଆହୁରି ପଢନ୍ତୁ ।