ପୁରୀ-ରାଉରକେଲା ସମେତ ଦେଶରେ 9 ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ମଧ୍ୟ ଶୁଭାରମ୍ଭ କରିଥିଲେ ମୋଦି। ପୂର୍ବରୁ ଦେଶରେ 25 ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ ଏହି 9ଟିକୁ ମିଶାଇ ଦେଶରେ ମୋଟ ବନ୍ଦ ଭାରତ ଏକ୍ସପ୍ରେସ ସଂଖ୍ୟା 34ରେ ପହଞ୍ଚିଛି। ନୂଆ ବନ୍ଦେ ଭାରତ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏବେ ସାରା ଦେଶରେ ରେଳଯାତ୍ରୀଙ୍କ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର କ୍ରେଜ୍ ଦେଖିବାକୁ ମିଳୁଛି। ବନ୍ଦେ ଭାରତ ଟ୍ରନ୍ ନୂଆ ଭାରତର ନୂଆ ଉତ୍ସାହର ପ୍ରତୀକ ବନିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ବନ୍ଦେ ଭାରତ ଏକ୍ସପ୍ରେସ ଡବଲ ଇଞ୍ଜିନର ଉଦାହରଣ। ପୂର୍ବରୁ ଓଡ଼ିଶାରେ ରେଳ କଥା କହିଲେ ଖୋର୍ଦ୍ଧାକୁ ହିଁ ବୁଝାଯାଉଥିଲା। ଆଜି କିନ୍ତୁ ସେ ସମୟ ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ତା’ର ବଡ ଉଦାହରଣ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଆଗକୁ ଯଦି ସମୟ ଆସେ ତେବେ ରାୟପୁରରୁ ସମ୍ବଲପୁର ପୁରୀ ରୁଟ ଦେଇ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ନିଶ୍ଚୟ ଚାଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ ୪୨୦ କୋଟି ଟଙ୍କା ଖର୍ଚ୍ଚରେ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କରାଯାଉଛି। ରାଜ୍ୟର ୫୭ଟି ଷ୍ଟେସନର ନବୀକରଣ ପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।
ମେ ମାସରେ ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ବ ଆବସରରେ ମୋଦି ସରକାରଙ୍କୁ ଦ୍ବିତୀୟ ବନ୍ଦେ ଭାରତ ପାଇଁ ଅନୁରୋଧ କରାଯିବ ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ। ଏହାର ମାତ୍ର 4 ମାସ ଭିତରେ ମୋଦି ସରକାର ଓଡ଼ିଶାରେ ଦ୍ବିତୀୟ ବନେଦ ଭାରତ ଉପହାର ଦେଇଛନ୍ତି।
ତେବେ ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ଯାତ୍ରାର ସ୍ବପ୍ନ ପୂରା କରିବ। ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ ଏକ୍ସପ୍ରେସ 505 କିଲୋମିଟର ଦୂରତା 7 ଘଣ୍ଟା 45 ମିନିଟରେ ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ 5ଟାରେ ବାହାରିବ ମଧ୍ୟାହ୍ନ 12. 45ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଅପରାହ୍ନ 2ଟା 10ରେ ରାଉରକେଲା ଛାଡିବ ରାତି 9ଟା 40ରେ ପୁରୀରେ ପହଞ୍ଚିବ ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ଏବଂ ଝାରସୁଗୁଡା ଷ୍ଟେସନରେ ରହିବ। ଅନ୍ୟ ଟ୍ରେନ୍ ତୁଳନାରେ ପ୍ରାୟ ୩ ଘଣ୍ଟା ସମୟ ବଞ୍ଚାଇବ ବନ୍ଦେ ଭାରତ ଏକ୍ସପ୍ରେସ୍।
ଏହି ଟ୍ରେନ୍ ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ବପ୍ନକୁ ପୂରଣ କରିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର