ନୂଆଦିଲ୍ଲୀ: ମୂର୍ତ୍ତୀ ବିସର୍ଜନ ବେଳେ ଫୁଟିଲା ଗୁଳି । ଏଥିରେ ଜଣେ ଜେଡିୟୁ ନେତାଙ୍କ ମୃତ୍ୟୁ ଘଟିଛି । ଶନିବାର ଦିନ ସନ୍ଧ୍ୟାରେ ବିହାରର ଅରିୟରି ଥାନାର ସନୈୟା ଗାଁର କିଛି ଲୋକ ସରସ୍ୱତୀଙ୍କ ମୂର୍ତ୍ତୀ ବିସର୍ଜନ ପାଇଁ ଡିଜେ ମ୍ୟୁଜିକ୍, ବାଜା, ବାଣ ଫୁଟାଇ ଯାଉଥିଲେ । ଏହିସମୟରେ ଡିଜେର ଶଦ୍ଧ ବହୁତ ଅଧିକ ଥିଲା । କଲୋନୀରେ ରହୁଥିବା ଲୋକମାନେ ଡିଜେ ବନ୍ଦ କରିବାକୁ କହିଥିଲେ । କିନ୍ତୁ ବିସର୍ଜନ ଉତ୍ସବରେ ସାମିଲ ଥିବା ଲୋକମାନେ ଏହା ବନ୍ଦ କରିନଥିଲେ । ଡିଜେ ବନ୍ଦ ନେଇ ଉଭୟଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା ।
ଦୁଇ ଦଳ ମଧ୍ୟରେ ହାତାହାତି ସହ ଝଗଡା ବଢିଥିଲା । ତେବେ ବିବାଦ ଏତେ ବଢିଯାଇଥିଲା ଯେ କିଛି ଲୋକ ଫାଇରିଙ୍ଗ କରିବା ଆରମ୍ଭ କରିଦେଲେ । ଏହାପରେ ଉପସ୍ଥିତ ଥିବା ଲୋକମାନେ ଫାଇରିଙ୍ଗ କରୁଥିବା ଲୋକମାନଙ୍କ ଉପରକୁ ପଥର ପକାଇ ଥିଲେ । ଗୁଳିବର୍ଷା ଓ ପଥର ଫିଙ୍ଗା ମଧ୍ୟରେ ଜେଡିୟୁର ଜଣେ ବରିଷ୍ଠ ନେତା ଅମିତ୍ ବଶିଷ୍ଠଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିସହିତ ଏହି ଘଟଣାରେ 12 ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ୍ 5 ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।
