ଅର୍ଗସ୍ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ନାଁରେ ସିବିଆଇର ନୂଆ ମାମଲା । ୨୫୦ ଚୀନ ଭିସା ବଦଳରେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗରେ କାର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଥିପାଇଁ କାର୍ତ୍ତିଙ୍କ ଘର ଅଫିସ ସହ ଦେଶର ୧୦ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଏହି କ୍ରମରେ ଓଡ଼ିଶାର ଝାରସୁଗୁଡାରେ ହୋଇଛି ରେଡ୍ । ୨୦୧୦-୨୦୧୪ ମଧ୍ୟରେ ୟୁପିଏ ଶାସନ କାଳରେ ଯେତେବେଳେ କି ଚିଦାମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ ସେତେବେଳେ ତଲୱାଣ୍ଡି ପାୱାର ପ୍ରୋଜେକ୍ଟ ପାଇଁ ୨୫୦ ଚାଇନିଜ ଲୋକଙ୍କୁ ଭିସା ଯୋଗାଇ ଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୨୦୧୧ ମସିହାରେ ଆବେଦନର ଗୋଟିଏ ମାସ ଭିତରେ ହିଁ ବେଆଇନ୍ ଭାବେ ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ଯୋଗାଇ ଦିଆଯାଇଥିଲା ।
୨୦୧୦ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ସମୟରେ ୨୫୦ ବ୍ୟକ୍ତିଙ୍କୁ ପଞ୍ଜାବ ଓ ଓଡ଼ିଶାରେ ଏକ ପାଓ୍ଵାର ପ୍ଲାଣ୍ଟରେ ଭିସା ଦିଆଯାଇଥିଲା। କମ୍ପାନୀର କାମ ପାଇଁ ଚୀନରୁ ଆଉଟସୋର୍ସଏଥିପାଇଁ ଜଣେ ବ୍ୟକ୍ତି କାର୍ତ୍ତିଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ଏହି ଟଙ୍କା ଏକ ବେନାମୀ କମ୍ପାନୀ ଜରିଆରେ କାରବାର ହୋଇଥିଲା ।
ଏହାପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଚିଦାମ୍ବରମ ବାପ ପୁଅ । କାର୍ତ୍ତୀ ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତୀ ।