ଅର୍ଗସ ବ୍ୟୁରୋ: ୬ ମାସ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ଦ୍ବାର ବନ୍ଦ । ପରମ୍ପରା ଅନୁସାରେ ଶୀତ ଋତୁ ପାଇଁ ପୂଜାର୍ଚ୍ଚନା ପରେ ରବିବାର ବାବା କେଦାରନାଥ ପୀଠ ଦ୍ବାର ବନ୍ଦ କରାଯାଇଛି। ତୁଷାରପାତ ଆରମ୍ଭରୁ ପ୍ରତିବର୍ଷ ୬ ମାସ ପାଇଁ ଦ୍ବାର ବନ୍ଦ ରହିଥାଏ । ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଶେଷ ଦିନରେ କେଦାରନାଥ ପୀଠକୁ ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା। କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ବର ମନ୍ଦିର ନିଆଯାଇଛି । ନୀତି ଅନୁସାରେ ଚଳନ୍ତି ପ୍ରତିମାକୁ ଗୌରୀକୁଣ୍ଡ, ସୋନପ୍ରୟାଗ ଓ ରାମପୁର ଦେବପୀଠକୁ ନେବା ପରେ ଆସନ୍ତା ୫ ତାରିଖରେ ଓଁକାରେଶ୍ବର ମନ୍ଦିରରେ ବିରାଜମାନ କରାଯିବ। ଶୀତ ଋତୁରେ ଭକ୍ତମାନେ ଏଠାରେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ। ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଭକ୍ତ ଆସିଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।