ଦୁବାଇରୁ ଭାରତ ଆସି ୱାରିସ ପଞ୍ଜାବ ଦେ ସଂଗଠନ ଉପରେ କବଜା କରିବା ପରେ ଅମୃତପାଲ ଏକ ପ୍ରାଇଭେଟ ସେନା ତିଆରି କରିବାରେ ଲାଗିଥିଲା । ସେ ଏହାର ସଦସ୍ୟ ମାନଙ୍କୁ ଗାଁରେ ଫାଇରିଂ ରେଞ୍ଜ ତିଆରି କରି ଗୁଳି ଚଳାଇବାର ତାଲିମ ମଧ୍ୟ ଦେଉଥିଲା ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅମୃତପାଲ ଆନନ୍ଦପୁର ଖାଲସା ଫୌଜ ବା ଏକେଜେ ନାମରେ ଏକ ପ୍ରାଇଭେଟ ଆର୍ମି ତିଆରି କରିଥିଲା । ଏଥିରେ ସେ ଯୁବକ ମାନଙ୍କୁ ସାମିଲ କରାଇ ସେମାନଙ୍କର ମାଇଣ୍ଡ ୱାସ କରୁଥିଲା । ଏହା ସହିତ ସେ ସେମାନଙ୍କୁ ଅସ୍ତ୍ର ଶସ୍ତ୍ର ଚଳାଇବାର ତାଲିମ ମଧ୍ୟ ଦେଉଥିଲା । ଏଥିପାଇଁ ସେ ଜଲ୍ଲୁପୁର ଖେଡା ଗାଁରେ ନଦୀ କୂଳରେ ଏକ ଅସ୍ଥାୟୀ ଫାଇରିଂ ରେଞ୍ଜ ମଧ୍ୟ ତିଆରି କରିଥିଲା । ଫାଇରିଂ ସମୟରେ ତାଲିମ ଦେଉଥିବାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି ।
କେବଳ ସେତିକି ନୁହେଁ ସେ ଡ୍ରଗ୍ ଆଡିକ୍ଟ ଓ ବଦମାସ ଲୋକ ମାନଙ୍କୁ ନିଜ ସହ ଯୋଡୁଥିଲା । ଏହା ବାଦ ଖରାପ ଆଚରଣ ପାଇଁ ସୁରକ୍ଷା ବଳରୁ ବାଧ୍ୟତାମୂଳକ ଅବସର ନେଇଥିବା ସୁରକ୍ଷା କର୍ମୀଙ୍କୁ ଖୋଜି ସଂଗଠନ ସହ ଯୋଡୁଥିଲା । ସେ ଏହି ଲୋକ ମାନଙ୍କୁ ଅସ୍ତ୍ରଶସ୍ତ୍ର ଦେବାକୁ ଉକ୍ତ ସୁରକ୍ଷା କର୍ମୀ ମାନଙ୍କୁ କାମରେ ଲଗାଇବାକୁ ଚାହୁଁଥିଲା ।
ପଞ୍ଜାବ ପୋଲିସର କହିବା ଅନୁସାରେ ଏହି ଅସ୍ଥାୟୀ ରେଞ୍ଜରେ ସେ ଯୁବକ ମାନଙ୍କୁ ହାଇଟେକ ଅସ୍ତ୍ର ଶସ୍ତ୍ରକୁ ଧରିବା, ଲୋଡ କରିବା ଓ ଚଳାଇବାର ତାଲିମ ଦେଉଥିଲା । ପୋଲିସ ଅମୃତପାଲର ଗନ ମ୍ୟାନ ତେଜିନ୍ଦର ସିଂହ ଗିଲା ଓରଫ ଗୋରଖା ବାବାକୁ ଗିରଫ କରିବା ପରେ ଏହି ସବୁ ତଥ୍ୟର ଖୁଲାସା ହୋଇଛି । ତାର ମୋବାଇଲରୁ ଏ ସମ୍ପର୍କିତ ଅନେକ ଫଟୋ ଓ ଭି଼ଡିଓ ମଧ୍ୟ ମିଳିଛି ।
ପୋଲିସ ମହାନୀରିକ୍ଷକ ସୁଖଚୈନ ସିଂହ ଗିଲ କହିଛନ୍ତି ଯେ ତାର ଗନରର ମୋବାଇଲରୁ ଯେଉଁ ଫଟୋ ଓ ଭିଡିଓ ମିଳିଛି ତାହା ସୀମାବର୍ତ୍ତୀ ଅଞ୍ଚଳରେ କେତେ ଭୟାବହ କାମ କରିବାକୁ ସେ ଯୋଜନା କରିଥିଲା ତାହାର ଖୁଲାସା ହୋଇଛି । ଏହି ଭିଡ଼ିଓରୁ ସ୍ପଷ୍ଟ ହୋଇଯାଇଛି ଯେ ସେ ରାଷ୍ଟ୍ରୀୟ ସୁରକ୍ଷା ଓ ପଞ୍ଜାବର ଶାନ୍ତି ଓ ସଦଭାବ ପାଇଁ ସେ କେତେ ବଡ ବିପଦ ହୋଇ ସାରିଥିଲା । ସେ କହିଛନ୍ତି ଯେ ଏସବୁ ଦେଖିବା ପରେ ସ୍ପଷ୍ଟ ହେଉଛି ଏହା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ବିଦେଶୀ ଫଣ୍ଡିଂ ରହିଛି ।
ଅଧିକ ଭାରତ ଖବର ପଢ଼ନ୍ତୁ