ଏବେ ରେଳ ବିଭାଗରେ ଅନେକ ପରିବର୍ତ୍ତନ ଘଟିଲାଣି । ହେଲେ ଆସନ୍ତୁ ଜାଣିବା ଦେଶର ଏଭଳି 10 ପୁରୁଣା ରେଳ ଷ୍ଟେସନ ଯାହାକି ଇଂରେଜ ସରକାରଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା ...
ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍
ଦେଶର ସର୍ବ ପୁରାତନ ରେଳ ଷ୍ଟେସନ ବିଷୟରେ କହିବାକୁ ଗଲେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ହେଉଛି ସର୍ବ ପୁରାତନ । ୧୮୫୩ ମସିହାରେ ଏହି ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିଲା । ପରେ 1888 ମସିହାରେ ଏହାର ପୁନରୁଦ୍ଧାର ହୋଇଥିଲା । ଐତିହାସିକ ବମ୍ବେ ପ୍ରଦେଶରେ ଅବସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନ ପୂର୍ବରୁ ଭିକ୍ଟୋରିଆ ଟର୍ମିନସ୍ ଭାବରେ ଜଣାଶୁଣା ଥିଲା । ବମ୍ବେ ସହର ମୁମ୍ବାଇ ନାମରେ ନାମିତ ହେବା ପରେ ଭିକ୍ଟୋରିଆ ଟର୍ମିନାସ୍ ରେଳ ଷ୍ଟେସନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନ ନାମରେ ନାମିତ ହୋଇଥିଲା । ଏହି ରେଳ ଷ୍ଟେସନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି ।
ହାୱାଡ଼ା ଜଙ୍କସନ
ଭାରତର ଗୁରୁତ୍ତ୍ୱପୂର୍ଣ୍ଣ ରେଳ ଷ୍ଟେସନ ମଧ୍ୟରୁ ଗୋଟିଏ ହେଉଛି ହାୱାଡ଼ା ଜଙ୍କସନ୍ । ୧୮୫୪ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ଭିତରୁ ଏହା ଗୋଟିଏ । ଯେଉଁଠି ୧ କିମ୍ବା ୨ ନୁହେଁ ୨୩ଟି ରେଳ ପ୍ଲାଟଫର୍ମ ରହିଛି । ପ୍ରତିଦିନ ପାଖାପାଖି 600 ଟ୍ରେନ ଏଠାରେ ଅତିକ୍ରମ କରିଥାଏ ।
ଚେନ୍ନାଇର ରୋୟାପୁରମ୍ ରେଳ ଷ୍ଟେସନ୍
ଦକ୍ଷିଣ ଭାରତର ପ୍ରଥମ ଟ୍ରେନ୍ ବା ଭାରତର ସର୍ବ ପୁରାତନ ରେଳ ଷ୍ଟେସନ୍ ମଧ୍ୟରୁ ଏହା ହେଉଛି ଗୋଟିଏ । ଯାହାକି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରୁଛି । 1856 ମସିହାରେ ଏହା କାର୍ଯ୍ୟକ୍ଷମ କରିଥିଲା । ସେତେବେଳ ସମୟରେ ଏଠାରେ ରହିଥିଲା 4ଟି ପ୍ଲାଟଫର୍ମ । ବଡ ବଡ ଖୁଣ୍ଟ, ଧଳା ଓ ଲାଲ ରଙ୍ଗର ଏହି ଷ୍ଟେସନ ଦେଖିଲେ ଭାରତର ଗୌରବମୟ ଅତୀତ କଥା ମନେ ପକାଇଦିଏ ।
ଆଗ୍ରା ଫୋର୍ଟ ରେଲୱେ ଷ୍ଟେସନ
1872 ମସିହାରେ ଉଦଘାଟିତ ଏହି ରେଳ ଷ୍ଟେସନ ଆଗ୍ରାର ସର୍ବ ପୁରାତନ ଷ୍ଟେସନ । ଯେଉଁଠି ରହିଛି 4 ଟି ପ୍ଲାଟଫର୍ମ । ଦୈନିକ 80 ହଜାରରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇଥାଏ । ଆଗ୍ରା ଫୋର୍ଟ ରେଳ ଷ୍ଟେସନ୍ ହେଉଛି ଆଗ୍ରା ସହରର ବିଶ୍ୱ ଐତିହ୍ୟ ସ୍ଥଳ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ । ଯାହା ଆଗ୍ରା ଟୁର୍ ପ୍ୟାକେଜରେ ଅନ୍ତର୍ଭୁକ୍ତ।
ବିରାଙ୍ଗନା ଲକ୍ଷ୍ମୀବାଈ ଝାନସୀ ଜଙ୍କସନ
1880 ଦଶକର ଶେଷ ଭାଗରେ ନିର୍ମିତ ବିରଙ୍ଗନା ଲକ୍ଷ୍ମୀବାଇ ଝାନସୀ ଜଙ୍କସନ । ଯାହା ଝାନସୀ ଜଙ୍କସନ ରେଳ ଷ୍ଟେସନ ଭାବରେ ଜଣାଶୁଣା । ବୁନ୍ଦେଲଖଣ୍ଡ ଅଞ୍ଚଳରେ ଭାରତର ସର୍ବ ପୁରାତନ ରେଳ ଷ୍ଟେସନ ମଧ୍ୟରୁ ଏହା ଅନ୍ୟତମ । ଉଭୟ ଯାତ୍ରୀ ଏବଂ ବାଣିଜ୍ୟିକ ସେବା ପାଇଁ ଏହା ଏକ ପ୍ରମୁଖ ରେଳ ହବ୍ । ଝାନସୀ ଜଙ୍କସନ ହେଉଛି ଯେଉଁଠାରେ ଭାରତର ଦ୍ରୁତତମ ଟ୍ରେନ୍ ଗତିମାନ ଏକ୍ସପ୍ରେସ କାର୍ଯ୍ୟ କରେ ।
ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ
୧୮୬୪ ମସିହାରେ ଉଦଘାଟିତ ହୋଇଥିଲା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ । ୧୯୦୩ ମସିହାରେ ଏହାର ରୂପରେଖରେ କିଛି ପରିବର୍ତ୍ତନ କରାଯାଇଥିଲା । ଏହା ଦିଲ୍ଲୀ ଚାନ୍ଦିନୀଚୌକ୍ ଅଞ୍ଚଳରେ ଅବସ୍ଥିତ । ଏହି ରେଳ ଷ୍ଟେସନ ଗଠନ ଲାଲକିଲ୍ଲା ଦୁର୍ଗରୁ ଅନୁପ୍ରାଣିତ ହୋଇଛି । ଆଜି ମଧ୍ୟ ଏହି ରେଳ ଷ୍ଟେସନ ବ୍ୟବହାର କରି ୨ ଲକ୍ଷରୁ ଅଧିକ ଲୋକ ପ୍ରତିଦିନ ଯାତ୍ରା କରିଥାନ୍ତି ।
ବିଜୟନଗରମ୍ ରେଳ ଷ୍ଟେସନ
ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ରେଳ ଷ୍ଟେସନ । ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ । ଯାହା 1893 ରୁ 1896 ମସିହା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ଏଠାରେ ରହିଛି 5 ଟି ପ୍ଲାଟଫର୍ମ । ଏହି ପୁରୁଣା ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ଆଧୁନିକ ସୁବିଧା ରହିଛି । ଏହା ଭାରତୀୟ ରେଳବାଇର କ୍ଲାସ୍ -ଏ ରେଳ ଷ୍ଟେସନ୍ ।
ବାରୋଗ ରେଳ ଷ୍ଟେସନ
ହିମାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏକ ଛୋଟ ରେଳ ଷ୍ଟେସନ ହେଉଛି ବାରୋଗ ରେଳ ଷ୍ଟେସନ । ଯାହା କାଲକା-ଶିମଲା ରେଳ ମାର୍ଗରେ ଅବସ୍ଥିତ । ଏହି ରେଳ ଷ୍ଟେସନ ମିଳିତ ଜାତିସଂଘ ଅଧିନସ୍ଥ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି । ଏହି ରେଳ ଷ୍ଟେସନ କର୍ଣ୍ଣେଲ ବାରୋଗଙ୍କ ନାମରେ ନାମିତ । ଯାହାର ଉଦଘାଟନ ୧୯୩୦ ମସିହାରେ ହୋଇଥିଲା ।
ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନ
ଏହି ରେଳ ଷ୍ଟେସନ ପୁରୁଣା ସମୟର କୋଠା ଘର ଆକାରରେ ନିର୍ମିତ ହୋଇଛି । ୧୯୧୪ ମସିହାରେ ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିଲା । ଏଠାରେ ରାଜଧାନୀ ଏବଂ ମୋଗଲ ସ୍ଥାପତ୍ୟର ମିଶ୍ରଣ ରହିଛି । ଏକ ରିପୋର୍ଟ ଅନୁଯାୟୀ ୧୯୧୬ ମସିହାରେ ଏଠାରେ ଜବାହରଲାଲ ନେହେରୁ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ । ୯ ପ୍ଲାଟଫର୍ମ ସହିତ ଉତ୍ତର ଭାରତର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ଭାବରେ ଜଣାଶୁଣା ଲକ୍ଷ୍ନୌ ଚାରବାଗ ।
ନାଗପୁର ଜଙ୍କସନ ରେଳ ଷ୍ଟେସନ
A1 ରେଳ ଷ୍ଟେସନ ମଧ୍ୟରୁ ଏହା ଗୋଟିଏ । 1925 ମସିହାରେ ଏହାର ଉଦଘାଟନ ହୋଇଥିଲା । ନାଗପୁର ଜଙ୍କସନ ମହାରାଷ୍ଟ୍ରର ସର୍ବ ପୁରାତନ ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ । ଏହା ଦେଶର ଭୌଗୋଳିକ କେନ୍ଦ୍ରରେ ଅବସ୍ଥିତ । ଦୈନିକ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଏହା ସେବା ଯୋଗାଇଥାଏ । ବ୍ୟସ୍ତ ବହୁଳ ଏହି ରେଳଷ୍ଟେସନରେ ରହିଛି 8 ଟି ପ୍ଲାଟଫର୍ମ । ଯାତ୍ରୀ ମାନଙ୍କ ପାଇଁ ଏଠି ରହିଛି ସମସ୍ତ ପ୍ରକାରର ସୁବିଧା ।
ଏହି ପୁରୁଣା ରେଳ ଷ୍ଟେସନ ଗୁଡିକ ଅନେକ ଐତିହାସିକ ମୁହୂର୍ତ୍ତର ମୁକସାଖୀ । ସ୍ୱାଧୀନତା ସଂଗ୍ରାମଠୁ ଆରମ୍ଭ କରି ବନ୍ୟା ଏବଂ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାକ୍ଷୀ ଏହି ରେଳ ଷ୍ଟେସନ ।
ଆହୁରି ପଢନ୍ତୁ ଭାରତ ଖବର...