କୋଲକାତା ପୀଡ଼ିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ପ୍ରତିବାଦ । ସାରା ରାତି ଉଜାଗର ରହି କୋଲକାତାବାସୀ କରିଥିଲେ ବିକ୍ଷୋଭ ସହ ଆନ୍ଦୋଳନ । ସାରା ରାତି ଉଜାଗର ରହି ନ୍ୟାୟ ମାଗିଲେ ସାଧାରଣ ଜନତା । ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ କୋଲକାତା ସହର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ।
ଦିନ ଗଡୁଛି, ଆନ୍ଦୋଳନ କିନ୍ତୁ କମୁନି । ଅର୍ଥାତ୍ ଦୁଷ୍କର୍ମ ବିରୋଧରେ କୋଲକତାରେ ବଢିବାରେ ଲାଗିଛି ଆନ୍ଦୋଳନ । ସେପଟେ ଅଭୟାଙ୍କୁ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଅଭୟାଙ୍କ ପରିବାର ସଦସ୍ୟ । କୋଲକାତାର ବିଭିନ୍ନ ସ୍ଥାନରେ ଲାଇଟ୍ ଅଫ କରି ଲୋକେ କରିଥିଲେ ପ୍ରତିବାଦ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟପାଳ ସିଭି ଆନନ୍ଦା ବୋଷ ମଧ୍ୟ ଲାଇଟ୍ ବନ୍ଦ କରିଥିଲେ । ବିବାଦରେ ଏବେ ଆର ଜି କର ମେଡିକାଲ । ଏହାରି ଭିତରେ ସେଦିନ ଡ୍ୟୁଟିରେ ଥିବା ଡାକ୍ତର ଯେଉଁ ବୟାନ ଦେଲେ ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଡାକ୍ତର ତାପସ ପ୍ରମାଣିକଙ୍କ ବୟାନ ଅନୁସାରେ, ଅଗଷ୍ଟ ୯ ତାରିଖ ରାତିରେ ଏମର୍ଜେନ୍ସୀ ବିଭାଗରେ ସେ ଡ୍ୟୁଟି କରୁଥିଲେ। ରାତି ୧୧ଟା ୪୫ମିନିଟରେ କିଛି ଗୋଟିଏ ଘଟଣା ଘଟିଛି ବୋଲି ଗ୍ରୁପରେ ସୂଚନା ପାଇଥିଲେ ।
ପ୍ରଥମେ ଛାତି ରୋଗ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ ତାପସ । ହେଲେ ପରଦିନ ସକାଳ ୧୦ଟା ବେଳେ ସେହି ବିଭାଗର ବିଭାଗୀୟ ମୁଖ୍ୟ କହିଥିଲେ, ଜଣେ ପିଜି ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏସଓପି ଅନୁସାରେ ମୃତଦେହକୁ ଏମର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା। ପରିବାର ଲୋକଙ୍କୁ କଲ୍ କରି ସୂଚନା ଦିଆଯାଇଥିଲା । ତେବେ ଏତେବଡ଼ ଘଟଣା ଘଟିଥିଲେ ବି କେହି କେମିତି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ତାପସ । ଖାଲି ଏତିକି ନୁହେଁ ବରଂ ମେଡିକାଲ କର୍ତ୍ତୃପକ୍ଷ ଯେଉଁପରି ଭାବରେ ଘଟଣାକୁ ଚପାଇବାକୁ ଚେଷ୍ଟା କଲେ ତାହା ଆଦୌ ଠିକ୍ ନୁହେଁ ବୋଲ ସେ ସ୍ପଷ୍ଟ କରିଛନ୍ତି ।