ଅର୍ଗସ ବ୍ୟୁରୋ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ ଦେଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାପାଙ୍କ ଅପରେଶନ ସଫଳ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ଯାଦବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରୋହିଣୀ ନିଜ ସ୍ବାମୀ ଏବଂ ପରିବାର ସହିତ ସିଙ୍ଗାପୁରରେ ରହୁଛନ୍ତି। ରୋହିଣୀ ପ୍ରଥମରୁ କହିଥିଲେ ଯେ, ସେ ଯଦି କିଡନୀ ଦେଇ ବାପାଙ୍କ ଜୀବନ ରକ୍ଷା କରିପାରିବେ ତାହାଲେ ଏହାହେଉଛି ତାଙ୍କ ପାଇଁ ସୌଭାଗ୍ୟର କଥା।
ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ସାଂସଦ ମୀସା ଭାରତୀ, ଆରଜେଡି ନେତା ଭୋଲା ଯାଦବ ସମେତ ଲାଲୁଙ୍କ ଅନ୍ୟ ଶୁଭ ଚିନ୍ତକମାନେ ଏବେ ସିଙ୍ଗାପୁରରେ ଅଛନ୍ତି। ଲାଲୁଙ୍କ ସଫଳ କିଡନୀ ପ୍ରତିରୋପଣ ପାଇଁ ଆରଜେଡି ନେତା ଏବଂ କର୍ମକର୍ତ୍ତା ହୋମ ପୂଜା କରିଛନ୍ତି। ରବିବାର ପାଟନାର ଦାନାପୁର ସ୍ଥିତ ମୈନାପୁରା କାଳି ମନ୍ଦିରରେ ଲାଲୁ ଯାଦବଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା ସହିତ ଅଭିଷେକ କରାଯାଇଛି। ସୋମବାର ତାଙ୍କ ଅପରେଶନ ଦିନ ରାଜ୍ୟର ବିଭିନ୍ନ ମନ୍ଦିରରେ ହୋମ ପୂଜାର ଆୟୋଜନ କରାଯାଇଛି।
ଭାରତ ଖବର ଆହୁରି ପଢନ୍ତୁ