ଅର୍ଗସ ବ୍ୟୁରୋ: ଲଭ ଜିହାଦ ପରେ ଲ୍ୟାଣ୍ଡ ଜିହାଦ । ଆସାମରେ ନିର୍ବାଚନୀ ଘମାସାନ ଭିତରେ ସବୁଠୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ଲ୍ୟାଣ୍ଡ ଜିହାଦ। ଆସାମର ହିନ୍ଦୁ ଧର୍ମାନୁଷ୍ଠାନର ଜମି ଉପରେ ଅବୈଧ କବଜା କରୁଛନ୍ତି ବଙ୍ଗଳାଦେଶୀ ଅନୁପ୍ରବେଶକାରୀ।
ଆସାମରେ ନିର୍ବାଚନୀ ଘମାସାନ ଭିତରେ ସବୁଠୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ଲ୍ୟାଣ୍ଡ ଜିହାଦ୍ । ଖାଲି ସେତିକି ନୁହେଁ ବିଜେପି ତାର ନିର୍ବାଚନୀ ଇତ୍ସାହାରରେ କହିଛି ପୁଣିଥରେ ରାଜ୍ୟରେ କ୍ଷମତାକୁ ଆସିଲେ ଦଳ ଲ୍ୟାଣ୍ଡ ଜିହାଦ ବିରୋଧୀ ଆଇନ୍ ଆଣିବ । ବହୁ ପୂର୍ବରୁ ବିଜେପି ସାରା ଦେଶରେ ଲଭ୍ ଜିହାଦ ପ୍ରସଙ୍ଗ ଉଠାଇ ଆସୁଛି । ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଦଳ ଅଭିଯୋଗ କରିଆସୁଛି । ଏନେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଲଭ ଜିହାଦ ବିରୋଧୀ ସ୍ବତନ୍ତ୍ର ଆଇନ ମଧ୍ୟ ଆଣିଛନ୍ତି । କିନ୍ତୁ ଏବେ ଆସାମରେ ଲ୍ୟାଣ୍ଡ ଜିହାଦ ଚାଲିଥିବା ନେଇ ବିଜେପି ସାଂଘାତିକ ଅଭିଯୋଗ ଆଣିଛି । ଦେଶବିରୋଧୀ ଶକ୍ତିଙ୍କ ଟାର୍ଗେଟରେ ହିନ୍ଦୁ ଧର୍ମାନୁଷ୍ଠାନ ଓ ମଠ ମନ୍ଦିରର ଜମି । ହିନ୍ଦୁ ଧର୍ମାନୁଷ୍ଠାନର ଜମି ଉପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଅବୈଧ କବଜା କରୁଛନ୍ତି । ପୂର୍ବର କଂଗ୍ରେସ ସରକାର ଅନୁପ୍ରବେଶକାରୀଙ୍କୁ ଏ ଦିଗରେ ସହଯୋଗ କରିଆସୁଥିଲା । ଆଉ କଂଗ୍ରେସ ଯଦି ଆସାମରେ ପୁଣି କ୍ଷମତାକୁ ଫେରିବ ତାହାହେଲେ ଲ୍ୟାଣ୍ଡ ଜିହାଦ ଆହୁରି ଜୋରଦାର ହେବ ବୋଲି ଅମିତ ଶାହ ଚେତାଇ ଦେଇଛନ୍ତି ।
ଏବେ ପ୍ରଶ୍ନ ଉଠୁଛି ଯେଉଁ ବଦରୁଦ୍ଦିନ ଅଜମଲର ନାଁ ଗୃହମନ୍ତ୍ରୀ ବାରମ୍ବାର ନେଉଛନ୍ତି ସେ କିଏ ? ତାଠାରୁ ଆସମକୁ କେମିତି ବିପଦ ରହିଛି । ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ AIUDFର ମୁଖ୍ୟ ହେଉଛନ୍ତି ମୌଲାନା ବଦରୁଦ୍ଦିନ୍ ଅଜମଲ। ଏଥର ଆସାମ ବିଧାନସଭା ନିର୍ବାଚନରେ AIUDF ସହ ମେଣ୍ଟ କରିଛି କଂଗ୍ରେସ । ଆସାମରେ ଅନୁପ୍ରବେଶକାରୀଙ୍କ ସଂଖ୍ୟାବୃଦ୍ଧି ପଛରେ ଏହି ବଦରୁଦ୍ଦିନ ଅଜମଲର ହାତ ଥିବା ଅଭିଯୋଗ ହୋଇଆସୁଛି । ଆଉ ହିନ୍ଦୁ ବୈଷ୍ଣବ ମଠଗୁଡ଼ିକର ଜମି ଦଖଲ ଷଡ଼ଯନ୍ତ୍ର ପଛରେ ଏହି ବଦରୁଦ୍ଦିନ ଅଜମଲ ହିଁ ଥିବା ବିଜେପି ଅଭିଯୋଗ କରିଆସୁଛି ।
ବିଜେପି ଓ ଅମିତ ଶାହଙ୍କ ଲ୍ୟାଣ୍ଡ ଜିହାଦ ଅଭିଯୋଗ ପଛରେ ଠୋସ୍ କାରଣ ବି ରହିଛି । 2011 ଜନଗଣନାରେ ଆସାମରେ ମୁସଲିମଙ୍କ ଯେଉଁ ସଂଖ୍ୟା ସାମ୍ନାକୁ ଆସିଥିଲା ତାହା ଚମକାଇବା ଭଳି ଥିଲା । 2001 ଜନଗଣନାରେ ଆସାମରେ ମୋଟ ଜନସଂଖ୍ୟାର ମାତ୍ର 5 ପ୍ରତିଶତ ମୁସଲିମ ଥିଲେ । କିନ୍ତୁ 10 ବର୍ଷ ଭିତରେ ଏହି ସଂଖ୍ୟା 30 ପ୍ରତିଶତରେ ପହଞ୍ଚିଥିଲା । ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଆସାମରେ ମୁସଲିମଙ୍କ ସଂଖ୍ୟା ଏତେ ବୃଦ୍ଧି ଘଟିଥିଲା । ଆଉ ସେମାନେ କାଜିରଙ୍ଗା ଜାତୀୟ ଉଦ୍ୟାନ ସମେତ ବିଭିନ୍ନ ହିନ୍ଦୁ ଧର୍ମାନୁଷ୍ଠାନର ଭୂମିକୁ ଅବୈଧ କବଜା କରିବା ଆରମ୍ଭ କରିଦେଇଥିଲେ । ଏହି ଷଡ଼ଯନ୍ତ୍ର ପଛରେ ବଦରୁଦ୍ଦିନ ଅଜମଲ ପରି ମୁସଲିମ ନେତାଙ୍କର ବଡ଼ ହାତଥିଲା । ଆଉ ମୁସଲିମ୍ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ତତକାଳୀନ କଂଗ୍ରେସ ସରକାର ଅନୁପ୍ରବେଶକାରୀଙ୍କୁ ସବୁ ସାହାଯ୍ୟ ଯୋଗାଇଦେଇଥିବା ବିଜେପି ଅଭିଯୋଗ କରିଛି । ଯଦି ଏହି ଧାରା ଜାରି ରହେ ଆସାମରେ ହିନ୍ଦୁ ସଂଖ୍ୟାଲଘୁରେ ପରିଣତ ହେବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ଅମିତ ଶାହ ଚେତାଇ ଦେଇଛନ୍ତି । ଆଉ ଏହାକୁ ରୋକିବା ପାଇଁ ସବୁ ବିରୋଧ ସତ୍ତ୍ବେ ଆସାମାରେ ବିଜେପି ସରକାର ଏନଆରସି ଲାଗୁ କରିଥିଲେ । ସେଥିପାଇଁ ପୁଣି ଥରେ କ୍ଷମତାସୀନ ହେଲେ ଏବେ ଲ୍ୟାଣ୍ଡ ଜିହାଦ ବିରୋଧୀ ଆଇନ ଆଣିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି ।