ଶରଦ ପୱାରଙ୍କୁ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିଲା । ଆଜି ଫଡନାଭିସଙ୍କ ଗୋଟି ଚାଳନା ଆଗରେ ଚିତ ପଟାଙ୍ଗ ମାରିଛନ୍ତି ପୱାର । ମାତ୍ର ୩୧ ମାସରେ ପୱାରଙ୍କ ସହ ହିସାବ ବରାବର କରି ଦେଇଛନ୍ତି ଫଡନାଭିସ । ରାଜନୀତିର ଶତରଞ୍ଜରେ ଦେବେନ୍ଦ୍ର ଫଡନାଭିସ ଗୋଟିଏ ଚାଲରେ ଏକ ସଙ୍ଗେ ଧରାଶାୟୀ କରିଛନ୍ତି ଉଦ୍ଧବ ଠାକରେ, କଂଗ୍ରେସ ଓ ଏନସିପି କୁ।
ଆଜି ଯାହା ଘଟିଲା, ତାହାର ସ୍କ୍ରିପ୍ଟ ଡିସେମ୍ବର ୨୦୧୯ରେ ଲେଖିବା ଆରମ୍ଭ କରିଥିଲେ ଫଡନାଭିସ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଆଗରୁ ମହାରାଷ୍ଟ୍ର ବିଧାନସଭା ଅଧିବେଶନରେ ସ୍ପଷ୍ଟ ଭାବରେ କହିଥିଲେ, ମୁଁ ଫେରିବି। ସେତେବେଳେ ତାଙ୍କୁ ମାତ୍ର ୪ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା ।
31 ଅକ୍ଟୋବର 2014 ରେ, ଦେବେନ୍ଦ୍ର ଫଡନାଭିସ୍ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପାଞ୍ଚ ବର୍ଷ ଚାଲିଥିଲା ତାଙ୍କ ସରକାର । ତାଙ୍କ ନେତୃତ୍ବରେ ୨୦୧୯ରେ ବିଜେପି ମହାରାଷ୍ଟ୍ର ବିଧାନସଭାରେ ସବୁଠାରୁ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । 23 ନଭେମ୍ବର 2019, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ । ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । କିନ୍ତୁ ପୱାର ଖେଳିଲେ ଖେଳ । ଏନସିପି ବିଜେପିକୁ ସମର୍ଥନ କଲା ନାହିଁ । ମାତ୍ର ଚାରି ଦିନ ପରେ ଇସ୍ତଫା ଦେଲେ ଫଡନାଭିସ । କଂଗ୍ରେସ, ଏନସିପି ଏବଂ ଶିବସେନା ଏକାଠି ହୋଇ ଉଦ୍ଧବ ସରକାର ଗଠନ କଲେ।
ସବୁ କିଛି ଚୁପ ଚାପ ସହି ଥିଲେ ଫଡନାଭିସ । ଉଦ୍ଧବ ଓ ଶିବସେନା ହିନ୍ଦୁତ୍ଵର ପଥ ପରିତ୍ୟାଗ କରି କଂଗ୍ରେସ ଓ ଏନସିପିର ସିକ୍ୟୁଲାର ମାର୍ଗ ଆପଣେଇବା ଆରମ୍ଭ କରି ଦେଲେ। ଶିବସେନାର ହିନ୍ଦୁତ୍ତ୍ଵବାଦୀଙ୍କ ଭିତରେ ବଢିଲା ଅସନ୍ତୋଷ । ଏହାର ସଠିକ ଉପଯୋଗ କଲେ ଫଡନାବିସ । କୁହା ଯାଏ ଏକନାଥ ସିନ୍ଦେଙ୍କ ଅସନ୍ତୋଷ ଠାରୁ ଆରମ୍ଭ କରି ଉଦ୍ଧବ ସରକାର ବିରୋଧୀ ବିଦ୍ରୋହ ପର୍ଯ୍ୟନ୍ତ ପୂରା ଖେଳର ପ୍ରଚ୍ଛଦପଟ ନାୟକ ଥିଲେ ଫଡନାଭିସ୍ ।
ସମସ୍ତେ ଭାବିଥିଲେ ସେ ସବୁ କରୁଛନ୍ତି ମୁଖ୍ୟମନ୍ତ୍ରୀ ପଦ ପାଇଁ । କିନ୍ତୁ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ସେ ନିଜର ଓ ବିଜେପିର ପ୍ରତିଷ୍ଠା ବଢାଇ ଦେଇଛନ୍ତି । ଶରଦ ପାୱାରଙ୍କ ଚାଣକ୍ୟ ଅବତାରର ଯୁଗ ଶେଷ । ମହାରାଷ୍ଟ୍ର ରାଜନୀତିର ନୂଆ ଚାଣକ୍ୟ ହୋଇ ଯାଇଛନ୍ତି ଦେବେନ୍ଦ୍ର ଫଡନାବିସ ।