ସମସ୍ତେ ଜାଣନ୍ତି ଦିଦିଙ୍କ ଏହି ସମର୍ଥନ ଆଦୌ ସ୍ବତପ୍ରବୃତ୍ତ ନୁହେଁ ବରଂ ବାଧ୍ୟବାଧକତା। ନ ହେଲେ ଏନଡିଏ ପ୍ରାର୍ଥିକୁ ଚେକ୍ ଦେବାକୁ ସେ ଆଦୌ ପୂର୍ବତନ ଏନଡିଏ ମନ୍ତ୍ରୀଙ୍କୁ ପ୍ରାର୍ଥୀ କରାଇ ନ ଥାନ୍ତେ। ସମ୍ପ୍ରତି ମହାରାଷ୍ଟ୍ର ରାଜନୈତିକ ଦୃଶ୍ୟପଟ୍ଟ ବଦଳିଯିବା ପରେ, ଦୌପଦୀଙ୍କ ବିଜୟ ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି। ଏଣୁ ଦିଦି ବାଧ୍ୟ ହୋଇ ହାର ମାନିଛନ୍ତି । ଏବଂ ଦୌପଦୀଙ୍କୁ ସମର୍ଥନ ଦେବାକୁ ହଁ ଭରିଛନ୍ତି।
ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜନୈତିକ ଦଳଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏବଂ ଜନତା ଦଳ ସେକ୍ୟୁଲାର ନେତା ଏଚ୍ଡି ଦେବଗୌଡା ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।
ଫଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସ୍ବର ବଦଳିଛି। ଶୁକ୍ରବାର କୋଲକାତାସ୍ଥିତ ଇସ୍କନ ମନ୍ଦିରରେ ରଥଯାତ୍ରା ବେଳେ ଦିଦି ଏହି ମନ୍ତବ୍ୟ ଦେଇଛନ୍ତି। ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମହାରାଷ୍ଟ୍ର ଘଟଣା ପରେ ଦ୍ରୌପଦୀ ମୁର୍ମୁ ବିଜୟ ସମ୍ଭାବନା ଅଧିକ । ଯଦି ବିଜେପି ପୂର୍ବରୁ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ନେଇ ସୂଚନା ଦେଇଥାନ୍ତା, ତେବେ ସେ ଏ ବିଷୟରେ ଚିନ୍ତା କରିଥାନ୍ତି। ଆଦିବାସୀଙ୍କ ପ୍ରତି ମୋର ଭଲପାଇବା ତଥା ଭାବନା ରହିଛି। ଆଦିବାସୀ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ଜାଣିଥିଲେ, ସମସ୍ତ ବିରୋଧୀ ଦଳ ଏକାଠି ବସି ଏ ବିଷୟରେ ଚିନ୍ତା କରିଥାନ୍ତେ ବୋଲି ଦିଦି ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛନ୍ତି।