ମାତ୍ର ମମତା ବାନାର୍ଜୀଙ୍କ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ନେଇ ପରିବର୍ତ୍ତିତ ସ୍ୱର ମମତାଙ୍କ ପାଇଁ ବାଧ୍ୟ ବାଧକତା ଓ ମୋଦିଙ୍କ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଆଦିବାସୀ-ମହିଳା-ଗରିବଙ୍କ ମାଷ୍ଟରଷ୍ଟ୍ରୋକ ମମତାଙ୍କୁ ଘାଇଲା କରିଥିବା ସ୍ପଷ୍ଟ ହୋଇଛି । ମମତାଙ୍କ ବକ୍ତବ୍ୟ ବିଜେପି ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଗରୁ କହିଥିଲେ ଆମେ ବି ଚିନ୍ତା କରିଥାନ୍ତୁ ଏହା ପଛରେ ପଶ୍ଚିମବଙ୍ଗ ଓ ସାରା ଦେଶରେ ଆଦିବାସୀ-ମହିଳା ଓ ଗରିବଙ୍କ ଜନାଧାର ମୋଦିଙ୍କ ସମର୍ଥନରେ ଧ୍ରୁବୀକରଣ ହେବା ଓ 2024ର ବଡ ଲଢେଇର ବିରୋଧୀ ପକ୍ଷଙ୍କୁ ସାମ୍ନା କରିବାକୁ ସମସ୍ୟା ତିଆରି କରିବାକୁ ନେଇ ସଙ୍କେତ ଦେଇଛନ୍ତି ମମତା ।
ମମତାଙ୍କ ପୂର୍ବରୁ ବହୁ ଅଣ ଏନଡିଏ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ସତ୍ତ୍ୱେ, ମୋଦିଙ୍କ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବାହାରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରମୁଖ ଭାବରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ , ପ୍ରକାଶ ସିଂ ବାଦଲଙ୍କ ଅକାଳୀ ଦଳ , ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସାମିଲ ।
ମୋଦି ଓ ବିଜେପିର ଦୃଢ ବିରୋଧୀ ହେବା ସତ୍ତ୍ୱେ ଆଜି ଦିନରେ ହେମନ୍ତ ସୋରନଙ୍କ ଜେଏମଏମ ଓ ଅରବିନ୍ଦ କ୍ରେଜିରୱାଲଙ୍କ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଯଦିଓ ଏହି ଦୁଇ ଦଳ ମୋଦି ବିରୋଧୀ ଆଭିମୁଖ୍ୟ ପାଇଁ ବେଶ ଜଣାଶୁଣା ତଥାପି ଗରିବ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଦୃଢ ବିରୋଧ କରିବାର ସ୍ୱର ଏପର୍ଯ୍ୟନ୍ତ ଉଠାଇ ପାରିନାହାନ୍ତି ।
ହେମନ୍ତ ସୋରେନଙ୍କ ଜେଏମଏମ ଶାସିତ ଝାଡଖଣ୍ଡରେ ପାଖାପାଖି 27 ପ୍ରତିଶତ ଆଦିବାସୀ ଅଛନ୍ତି । ଅରବିନ୍ଦ କ୍ରେଜିରୱାଲଙ୍କ ଆମ ଆଦମୀ ପାର୍ଟି ସାଧାରଣ ଗରିବ ଲୋକଙ୍କ ଦଳ ବୋଲି ନିଜକୁ ପ୍ରଚାରିତ କରୁଛି । ମୋଦିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ବିରୋଧ ଉଭୟ ଦଳର ଜନାଧାରକୁ କ୍ଷତି ପହଁଞ୍ଚାଇବାର ସମ୍ଭାବନା ଉଭୟ ଦଳକୁ ମୋଦି ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିବା ରାସ୍ତାରେ ବାଧକ ହୋଇଛି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକପ୍ରକାର ନିଶ୍ଚିତ । ବିରୋଧୀ ସାମ୍ମୁଖ୍ୟର ପରାଜୟ ବି ଜଳଜଳ ହୋଇ ଦେଖାଯାଇଛି । ବିଜୟ ଓ ପରାଜୟ ଠାରୁ ମୋଦି ବିରୋଧୀଙ୍କୁ ଘାରିଛି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱର ସାମାଜିକ ବାର୍ତ୍ତାର ଡର । ଯଦି ଦେଶର ଜନତା ଆଦିବାସୀ-ମହିଳା ଓ ଗରିବ ନାଁରେ ଏକାଠି ହେବେ ତେବେ ବିରୋଧୀ ସାମ୍ମୁଖ୍ୟ ସବୁଠାରୁ ବଡ କ୍ଷତିର ସମ୍ମୁଖୀନ ହେବ ।