ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚରମ ଅବହେଳାର ନିଦର୍ଶନ ଦେଖିବାକୁ ମିଳିଛି ପାକିସ୍ତାନର ସିନ୍ଧୁ ପ୍ରଦେଶରେ । ଏକ 32 ବର୍ଷୀୟ ହିନ୍ଦୁ ମହିଳାଙ୍କ ଜୀବନକୁ ବିପନ୍ନ କରିଦେଇଛନ୍ତି ଅନଭିଜ୍ଞ ସ୍ୱାସ୍ଥ୍ୟ କର୍ମଚାରୀମାନେ । ଥାରପାରକର ଜିଲ୍ଲାର ନିପଟ ଗ୍ରାମାଞ୍ଚଳରୁ ଜଣେ ହିନ୍ଦୁ ମହିଳା ସନ୍ତାନ ପ୍ରସବ ପାଇଁ ପ୍ରଥମେ ତାଙ୍କ ଅଞ୍ଚଳରେ ଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସେଠାରେ କୌଣସି ମହିଳା ପ୍ରସୂତି ବିଶେଷଜ୍ଞ ନଥିବାବେଳେ ଅନଭିଜ୍ଞ ସ୍ୱାସ୍ଥ୍ୟ କର୍ମଚାରୀମାନେ ତାଙ୍କ ଜୀବନକୁ ବିପନ୍ନ କରିଦେଇଥିଲେ । ସେମାନେ ଏକ ବିଫଳ ଅସ୍ତ୍ରୋପଚାର କରି ଗର୍ଭସ୍ଥ ସନ୍ତାନର ମୁଣ୍ଡ କାଟିଦେବା ପରେ ତାକୁ ସେହି ଗର୍ଭ ଭିତରେ ଛାଡିଦେଇଥିଲେ ।
ତା’ ପରେ ମହିଳା ଜଣଙ୍କୁ ନିକଟସ୍ଥ ମଠିସ୍ଥିତ ଏକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ କିଛି ଚିକିତ୍ସା ସୁବିଧା ନଥିଲା । ଶେଷରେ ତାଙ୍କୁ LUMHS (ଏଲୟୁଏମଏଚଏସ) ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରମାନେ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପେଟରୁ ମୁଣ୍ଡ କଟାହୋଇଥିବା ସନ୍ତାନର ଅବଶିଷ୍ଟ ଶରୀରକୁ ଆଗ ବାହାର କଲେ । ତଳିପେଟ କାଟି ସେଥିରୁ ମୁଣ୍ଡକୁ ବାହାର କଲେ । ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ହେଲେ ଗର୍ଭବତୀଙ୍କୁ ଏଭଳି ଚିକିତ୍ସା ନେଇ ଏହାର ତଦନ୍ତ ପାଇଁ ସିନ୍ଧୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡ.ଜୁମାନ ବାହୋତୋ ଆଦେଶ ଦେଇଛନ୍ତି । ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।