
ଅର୍ଗସ ବ୍ୟୁରୋ : ଶୁକ୍ରବାର ସକାଳେ ରାଜସ୍ଥାନର ଜାଲୋର ଜିଲ୍ଲାର ସାନଚୋର ସହରରେ ଆକାଶରୁ ଏକ ମେଟେରାଇଟ୍ ଖସି ପଡିଥିଲା। ଏହି ରହସ୍ୟଜନକ ବସ୍ତୁର ଓଜନ ପ୍ରାୟତଃ 2.8 କି.ଗ୍ରା। ଏହି ବସ୍ତୁଟି ଭୂମିରେ ପଡ଼ିବା ପରେ ଉକ୍ତ ଅଞ୍ଚଳରେ ପ୍ରାୟ ଏକ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଶୁକ୍ରବାର ସକାଳ 7ଟାରେ ରାଜସ୍ଥାନର ଜାଲୋର ଜିଲ୍ଲାର ସାନଚୋର ସହରରେ ମେଟେରାଇଟ୍ ପରି ଏକ ବସ୍ତୁ ଆକାଶରୁ ଖସିଥିଲା। ଏହି ବସ୍ତୁଟି ଖସିବା ସମୟରେ ପରେ ଖୁବ୍ ଜୋରରେ ଶବ୍ଦ ଶୁଣାଯାଇଥିଲା। ଏପରିକି ଏହି ଶବ୍ଦ 2 କିମି ପର୍ଯ୍ୟନ୍ତ ଶୁଣାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାପରେ ଲୋକମାନେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଏନେଇ ଉପଜିଲ୍ଲାପାଳ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ବସ୍ତୁଟିକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ତେବେ ବସ୍ତୁଟିକୁ ପରୀକ୍ଷଣ ପାଇଁ ପଠାଯାଇଛି। ଏହି ବସ୍ତୁଟିରେ ଜର୍ମାନିଅମ, ପ୍ଲାଟିନମ୍, ନିକେଲ ଓ ଆଇରନ ଥିବା ଅନୁମାନ କରାଯାଉଛି।
