ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାତି ଜୋର ହେବାରେ ଲାଗିଛି । ନିର୍ବାଚନକୁ ନେଇ ବିଜେପି ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ହୁଗୁଳିରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ଟିଏମସି ସରକାର ଉପରେ ଜୋରଦାର ବର୍ଷିଥିଲେ । ଏଠାରେ ଲୋକଙ୍କ ଉତ୍ସାହ ବଡ ସନ୍ଦେଶ ଦେଉଛି । ଏବେ ପଶ୍ଚିମବଙ୍ଗ ପରିବର୍ତ୍ତନ ପାଇଁ ମନ ସ୍ଥିର କରି ସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୋଦି କହିଛନ୍ତି, ଅତୀତରୁ ଆରମ୍ଭ କରି ବର୍ତ୍ତମାନର ସରକାରମାନେ ଏହି ଐତିହାସିକ ପ୍ରଦେଶକୁ ଦୁର୍ଦ୍ଦିନରେ ଛାଡିଛନ୍ତି । ଏଠାକର ଭିତ୍ତିଭୂମି ଏବଂ ଐତିହ୍ୟକୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିବାକୁ ଛାଡି ଦିଆଯାଇଛି । ରାଜ୍ୟରେ ବିଜେପି ଆସିଲେ ବେଙ୍ଗଲବାସୀ ନିଜର ସଂସ୍କୃତିର ଗୌରବ ଗାନ ବିନା କୌଣସି ଡରରେ କରିପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏପରି ଏକ ବେଙ୍ଗଲ ତିଆରି କରିବୁ ଯାହା ଟୋଲାବାଜୀ ମୁକ୍ତ ହେବ ଏବଂ ସ୍ୱରୋଜଗାର ଯୁକ୍ତ ହେବ । ମାଆ,ମାଟି, ମାନୁଷର କଥା କହୁଥିବା ଲୋକେ ବେଙ୍ଗଲର ବିକାଶରେ ପାଚେରୀ ହୋଇ ଠିଆ ହୋଇଛନ୍ତି । ରାଜ୍ୟର ଯୁବପିଢିଙ୍କ ଆଶା ପୁରଣ ପାଇଁ ବେଙ୍ଗଲରେ ପଦ୍ମ ଫୁଟିବା ଜରୁରୀ ବୋଲି ମୋଦି କହିଛନ୍ତି । ମମତା ବାନାର୍ଜୀ ସରକାରକୁ ନିଶାନା କରି ମୋଦି କହିଛନ୍ତି, ତୁଷ୍ଟିକରଣ ରାଜନୀତି ରାଜ୍ୟବାସୀଙ୍କୁ ଦୁର୍ଗାପୂଜା କରିବାରେ ଅଟକାଉଛି । ପଶ୍ଚିମବଙ୍ଗବାସୀ ନିଜର ସଂସ୍କୃତିର ଅପମାନ କରୁଥିବା ଲୋକମାନଙ୍କୁ କେବେ କ୍ଷମା ଦେବେନି ।
ଏହାପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଅନେକ ରେଳ ପରିଯୋଜନାର ଉଦଘାଟନ କରିଛନ୍ତି । ନୋଆପାଡାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ରେଲୱେର ବିସ୍ତାର ଉଦଘାଟନ କରିଛନ୍ତି । ଏହାସହ ଏହା ମଧ୍ୟରେ ମଟ୍ରୋର ପ୍ରଥମ ସେବାକୁ ସବୁଜ ପତାକା ଦେଖାଇଛନ୍ତି । ଏହା ଆତ୍ମନିର୍ଭରତା ସଂକଳ୍ପକୁ ଅଧିକ ସଶକ୍ତ କରିବ ।