ଆମେରିକା ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏଭଳି କିଛି ଢଙ୍ଗରେ ଭାରତ ପ୍ରତି ଥିବା ସମ୍ପର୍କର ଗଭୀରତାକୁ ବଖାଣିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ମୋଦିଙ୍କୁ ବହୁ ଦିନରୁ ଜାଣିଥିବା ସେ କହିଥିଲେ ।
ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ କିଭଳି ଆହୁରି ମଜବୁତ ହେବ ସେ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ଆଲୋଚନା । କୋଭିଡ, କ୍ବାର୍ଡ ଓ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ଭାରତ ଏବଂ ଆମେରିକା ମଧ୍ୟରେ ଟେକନୋଲୋଜି ଓ ଟ୍ରେଡକୁ ଅଧିକ ମଜବୁତ କରିବାକୁ ଗୁରତ୍ବ ଦିଆଯାଇଛି । ତେବେ ଆତଙ୍କବାଦ ଓ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ବାଇଡେନଙ୍କ ସହ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି ।
ଏଥିସହ ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗ ମଧ୍ୟ ଉଠିଥିଲା । ୨୦୧୪ ଏବଂ ୨୦୧୬ରେ ବାଇଡେନଙ୍କୁ ଭେଟିଥିବା କହିଥିଲେ ମୋଦି । ସେତେବେଳେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଭିଜନ ରହିଥିଲା । ଆଉ ଆଜି ରାଷ୍ଟ୍ରପତି ଭାବେ ବାଇଡେନ ଯେଉଁ ହାତ ବଢ଼ାଇଛନ୍ତି ତାକୁ ସ୍ବାଗତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ-ଆମେରିକା ମଧ୍ୟରେ ପୂର୍ବରୁ ବ୍ୟବସାୟିକ କାରବାର ବେଶ ସକାରାତ୍ମକ ରହି ଆସିଛି ଏବଂ ଆଗକୁ ମଧ୍ୟ ଏହା ଗତିଶୀଳ ରହିବ ବୋଲି ସେ କହିଛନ୍ତି ।
ପ୍ରାୟ ୫୬ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟ ଚାଲିଥିବା ଏହି ସାକ୍ଷାତକାର ଉଭୟ ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଓ ଲାଭଦାୟକ । ଆତଙ୍କବାଦ ବିରୋଧରେ ଉଭୟ ଦେଶର ଆଭିମୁଖ୍ୟ ସମାନ ଥିବା ବେଳେ ଗଣତନ୍ତ୍ରର ମୂଲ୍ୟବୋଧ ରକ୍ଷା ପାଇଁ ଦୁଇ ଦେଶ ପ୍ରତିବଦ୍ଧ ହୋଇଛନ୍ତି ।