ସମ୍ମିଳନୀ ପୂର୍ବରୁ ଭାରତ ସହିତ ନିଜର ଆବେଗିକ ସମ୍ପର୍କ ବାବଦରେ ମୋଦିଙ୍କ ସହ ଆଲୋଚନା କରିଥିଲେ ହୁ ର ମୁଖ୍ୟ । ସେ ନିଜକୁ ଗୁଜୁରାଟୀ ଭାବୁଛନ୍ତି ଏବଂ ତାଙ୍କୁ ଏକ ଗୁଜୁରାଟୀ ନାଁ ଦେବାକୁ ଅନୁରୋଧ କରିଥିଲେ । ସେଥିପାଇଁ ଟେଡ଼ରସ୍ ବଦଳରେ ତାଙ୍କୁ ତୁଳସୀ ଭାଇ ନାମରେ ନାମିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଯାହା ସମ୍ମିଳନୀର ମୁଖ୍ୟ ଆକର୍ଷଣ ରହିଥିଲା ।
ଜନସ୍ୱାସ୍ଥ୍ୟ ପାଇଁ ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଯେଉଁ ନୂଆ ଦିଗ ଦେଖାଇଛନ୍ତି ତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ହୁ ର ମୁଖ୍ୟ ଟେଡ଼ରସ୍ । ପାରମ୍ପାରିକ ଔଷଧ କ୍ଷେତ୍ରରେ ଭାରତ ସରକାର ଚମତ୍କାର କାର୍ଯ୍ୟ କରିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନେକ ଭାବରେ ପ୍ରଭାବିତ କରିପାରିଛି । ଭାରତର ଯୋଗ ଓ ଆୟୂର୍ବେଦକୁ ମନ ଖୋଲି ପ୍ରଶଂସା କରିବା ସହିତ ଦିନେ ଏଥିପାଇଁ ସାରା ବିଶ୍ବ ଭାରତମୁହାଁ ହେବ ଏବଂ ଭାରତର ୭୫ତମ ସ୍ବାଧିନତା ଦିବସ ସହ ହୁ ମଧ୍ୟ ନିଜର ଜନ୍ମ ଦିବସ ପାଳନ କରିବାକୁ ଯାଉଛି ବୋଲି ନିଜ ଭାଷଣରେ କହିଥିଲେ ଟେଡ଼ରସ୍ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କହିଥିଲ, ଆୟୂଷ କ୍ଷେତ୍ରରେ ପୁଂଜିନିବେଶ ଏବଂ ନବଉଦ୍ଭାବନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଔଷଧୀୟ ଗୁଳ୍ପର ଗନ୍ତାଘର ଭାରତ ।ଗତ କିଛି ବର୍ଷ ମଧ୍ୟରେ ବିଶ୍ୱର ୫୦ ଟି ଦେଶ ସହିତ ଆୟୂଷ ସାମଗ୍ରୀକୁ ନେଇ ବ୍ୟବସାୟିକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଆଇଏସଓ ଏବଂ ବିଆଇଏସ ଷ୍ଟାଣ୍ଡାର୍ଡ଼ର ଆୟୂଷ ସମାଗ୍ରୀ ଉତ୍ପାଦିତ ହେଉଛି । ୧୫୦ ଦେଶକୁ ସାମଗ୍ରୀ ରପ୍ତାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପୋଷଣଯୁକ୍ତ ଆୟୂଷ ଆହାର ସପ୍ଲିମେଣ୍ଟ, ଆୟୂଷ ପାର୍କ ନେଟଓ୍ବାର୍କର ବିକାଶ, ବିଦେଶୀ ନାଗରିକଙ୍କ ଆୟୂଷ ଚିକିତ୍ସା ପାଇଁ ଆୟୂଷ ଭିସାର ପ୍ରଚଳନର ଯୋଜନା ହେଉଛି ।
ଆଗାମୀ ୨୫ ବର୍ଷର ଅମୃତ କାଳ ପାରମ୍ପାରିକ ଔଷଧ ପାଇଁ ହେବ ସୁବର୍ଣ୍ଣ ଯୁଗ । ୨୦୧୪ ପରଠାରୁ ଆୟୂଷ କ୍ଷେତ୍ରରେ କିପରି ଦ୍ରୁତ ବ୍ୟବସାୟିକ ଅଭିବୃଦ୍ଧି ହୋଇଛି ସେ ବାବଦରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଭାରତରେ ଏବେ ମେଡ଼ିକାଲ ଟୁରିଜିମ୍ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି । ପାରମ୍ପାରିକ ଚିକିତ୍ସା ପାଇଁ ବିଦେଶରୁ ଭାରତକୁ ଲୋକମାନେ ଆସୁଛନ୍ତି ।ଏହା ମାଧ୍ୟମରେ କେନିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ରୋଜମେରୀ ଓଡ଼ିଙ୍ଗା କିପରି ଭାରତରେ ଚିକିତ୍ସିତ ହୋଇ ନିଜ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି ତା’ର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସମେତ ଆହୁରି ଅନେକ ଅଧିକାରୀ, ଉଦ୍ୟୋଗୀ ଏବଂ ବିଦେଶୀ ପ୍ରତିନିଧି ଯୋଗ ଦେଇଥିଲେ । ଆସନ୍ତା ୨୨ ତାରିଖ ଯାଏ ଚାଲିବ ସମ୍ମିଳନୀ ।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ…