ଆଜି ଭିଡ଼ିଓ କନଫେରନ୍ସିଂ ଯୋଗେ ଗୁଜୁରାଟ ଭୁଜ୍ ଜିଲ୍ଲାର କେକେ ପଟେଲ ସୁପର ସ୍ପେଷିଆଲିଟି ହସପିଟାଲକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପ୍ରତି ଲୋକଙ୍କ ପାଖରେ ସହଜରେ ସ୍ବାସ୍ଥ୍ୟ ସୁବିଧା ପହଁଚେଇବା ପାଇଁ କେନ୍ଦ୍ର ସରକାର କେଉଁ ପଦକ୍ଷେପ ନେଉଛନ୍ତି ସେ ବାବଦରେ ପ୍ରକାଶ କରିଥିଲେ। ଦେଶର ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ୍ ଖୋଲିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ମାସରେ କରିଥିବା ଘୋଷଣାକୁ ପୁଣି ଦୋହରାଇବା ସହିତ ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶକୁ ରେକର୍ଡ଼ ସଂଖ୍ୟକ ନୂଆ ଡାକ୍ତର ମିଳିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ କଲେଜ୍ ଖୋଲିବାର ଯେଉଁ ଲକ୍ଷ୍ୟ ରଖାଯାଇଛି ତାଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସରକାରୀ ରେଫରାଲ ହସପିଟାଲଗୁଡ଼ିକୁ ମେଡ଼ିକାଲ କଲେଜରେ ରୁପାନ୍ତର କରାଯିବାର ଯୋଜନା ରହିଛି।
ଏପରି ହେଲେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ଅଧିକ ଲାଭବାନ୍ ହେବ ଓଡ଼ିଶା। ଦୂର ହେବ ଡାକ୍ତର ଏବଂ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ରାଜ୍ୟରେ ଏବେ ୩ ଟି ସରକାରୀ, ୩ ଟି ବେସରକାରୀ ଏବଂ କେନ୍ଦ୍ରୀୟ ଯୋଜନା ଓ ପିଏସୟୂ ଦ୍ବାରା କାର୍ଯ୍ୟକ୍ଷମ ହେଉଛି ୧୦ ଟି ମେଡ଼ିକାଲ କଲେଜ୍। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ହେଲେ ଓଡ଼ିଶାକୁ ବଡ଼ ଲାଭ ମିଳିବ। କାରଣ ଏହି ସବୁ ମେଡ଼ିକାଲ କଲେଜରୁ ଉତ୍ତୀର୍ଣ୍ଣ ଡାକ୍ତରୀ ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ ଦେଲେ ଦୂର ହେବ ଡାକ୍ତର ସମସ୍ୟା।
ଏହା ବ୍ୟତୀତ ନାଗରିକଙ୍କ ଉତ୍ତମ ସ୍ବାସ୍ଥ୍ୟ କିପରି ସାମାଜିକ ନ୍ୟାୟ ପ୍ରଦାନରେ ସହାୟକ ହୁଏ ଏବଂ ଗରିବ ମଧ୍ୟବିତ୍ତ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଆନ୍ତି ସେ ବାବଦରେ ମଧ୍ୟ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଆୟୂଷ୍ମାନ ଭାରତ ଦ୍ବାରା କିପରି ଲୋକମାନେ ସବୁଠୁଁ ଅଧିକ ଲାଭବାନ ହେଉଛନ୍ତି ସେ ବାବଦରେ ମଧ୍ୟ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ।
ଆୟୂଷ୍ମାନ ଭାରତ ଯୋଜନାରେ ମାଗଣା ତଥା ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇବାର ସମସ୍ତ ସୁବିଧା ଥିବା ସତ୍ବେ ଓଡ଼ିଶା ସରକାର ଏହାକୁ ଏଯାଏ ରାଜ୍ୟରେ ଲାଗୁ କରିନାହାଁନ୍ତି। ଏନେଇ ନିକଟରେ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ଉଦଘାଟନ କରିବା ଅବସରରେ ରାଜ୍ୟ ସରକାରଙ୍କୁ ବିଶୈଷ ଅନୁରୋଧ କରଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ।
ମୋଦିଙ୍କ ଘୋଷଣା ଅନୁସାରେ ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ହେଲେ ଓଡ଼ିଶା ଭଳି ରାଜ୍ୟ ସବୁଠୁଁ ବେଶି ଉପକୃତ ହେବା ସହ ଆୟୂଷ୍ମାନ ଭାରତ ଭଳି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କଲେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଆହୁରି ସୁବିଧାରେ ପହଁଚି ପାରିବ।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ …