ନିକଟରେ ମୁକ୍ତିଲାଭ କରିଥିବା ୯୦ ଦଶକର ସତ୍ୟ ଘଟଣା ଅଧାରିତ ତଥା ବହୁ ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁରି ଭୁରି ପ୍ରଂଶସା । ଫିଲ୍ମକୁ ପ୍ରଶଂସା କରିବା ସହିତ ଅତୀତର ସତକୁ କିପରି ଉଦ୍ଦେଶ୍ୟମୂଳକ ଭାବରେ ବର୍ଷ ବର୍ଷ ଧରି ଚାପି ଦିଆଯାଇଛି ଏବଂ ଏହି ଫିଲ୍ମ ମାଧ୍ୟମରେ କିପରି ୯୦ ଦଶକର ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ସାହସ କରାଯାଇଛି ତାହା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଦିନ ଦିଲ୍ଲୀରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଫିଲ୍ମକୁ ପ୍ରଶଂସା କରିବା ସହିତ ଏହି ପରି ବାସ୍ତବବାଦୀ ଫିଲ୍ମ ଅଧିକରୁ ଅଧିକ ତିଆରି ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ ।
ଦେଶ ବିଭାଜନ, ଏମର୍ଜେନ୍ସି ଏବଂ ନବେ ଦଶକରେ କାଶ୍ମୀର ପଣ୍ଡିତଙ୍କ ନରସଂହାର ଓ ଉପତ୍ୟକା ଛାଡ଼ି ପଳାୟନ ଭଳି ବିଭିନ୍ନ ସମୟର କଳଙ୍କିତ ଅଧ୍ୟାୟ ପଛରେ ଥିବା ସତ ଦେଶବାସୀ ବିଶେଷକରି ଆଜିର ଯୁବପିଢ଼ିଙ୍କ ସାମ୍ନାକୁ ଆସିନାହିଁ ବା ଆସିବାକୁ ଦିଆଯାଇନି । ପୂର୍ବ ସରକାର ସମୟରେ ଏହାକୁ ଚାପି ଦିଆଯାଇଛି । ଏହା ପଛରେ ରହିଛି ତଥାକଥିତ ଛଦ୍ମ ଉଦାରବାଦୀ, ବାମପନ୍ଥୀ ଏବଂ ସଂଖ୍ୟାଲଘୁ ତୁଷ୍ଟିକରଣକାରୀଙ୍କ ଜଘନ୍ୟ ଷଡ଼ଯନ୍ତ୍ର । କାଶ୍ମୀର ଫାଇଲ୍ସ ଭଳି ସିନେମା ଏପରି ସତକୁ ଆଣିବାର ସାହସ କରିଥିବା ବେଳେ ସେହି ଛଦ୍ମ ଉଦାରବାଦୀମାନେ ନାନା ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ଏହାର ବିରୋଧୀଙ୍କୁ ଆକ୍ଷେପ କରିଥିଲେ ପ୍ରଧାନମନ୍ତ୍ରୀ ।
ଦେଶର ଅବିଛେଦ୍ୟ ଅଙ୍ଗ ଜାମ୍ମୁକାଶ୍ମୀର ସବୁବେଳେ ବିଭାଜନକାରୀ ଶକ୍ତି ଏବଂ ସଂଖ୍ୟାଲଘୁ ତୁଷ୍ଟିକରଣ ଚଳେଇଥିବା ଦଳ ତଥା ରାଜନେତାଙ୍କ ଚକ୍ରାନ୍ତର ଶୀକାର ହୋଇ ଆସିଛି । ସଂବିଧାନର ଧାରା ୩୭୦ ଏବଂ ୩୫-ଏ ଦ୍ବାରା ଦେଶର ବାକି ଅଂଶ ସହିତ ସାଂସ୍କୃତିକ ଏବଂ ଭାବଗତ ଦୃଷ୍ଟିରୁ ବିଛିନ୍ନ ହୋଇ ଆସିଥିଲା ଜାମ୍ମୁକାଶ୍ମୀର । ଗୋଟିଏ ଦେଶର ନାଗରିକ ହୋଇ ମଧ୍ୟ ଅନ୍ୟ ଭାଗର ଲୋକମାନେ ଜାମ୍ମୁକାଶ୍ମୀରରେ ସ୍ଥାୟୀ ଭାବରେ ବସବାସ କରିବାର ଅଧିକାର ନଥିଲା । ଏହା ସହିତ ସେହି ରାଜ୍ୟ ପାଇଁ ଥିଲା ଅଲଗା ସଂବିଧାନ, ଅଲଗା ପତାକା ।ଏପରି ବ୍ୟବସ୍ଥାକୁ ଆରମ୍ଭରୁ ବିରୋଧ କରି ଆସିଥିଲେ ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମା ପ୍ରକାଶ ମୁଖାର୍ଜୀ । ନାରା ଦେଇଥିଲେ, ଏକ୍ ଦେଶ୍ ମୈ ଦୋ ନିଶାନ୍, ଦୋ ବିଧାନ, ଦୋ ପ୍ରଧାନ ନେହିଁ ଚଲେଗା ।
ଡଃ ମୁଖାର୍ଜୀଙ୍କ ଏହି ସ୍ବପ୍ନକୁ ସାକାର କରି ଜାମ୍ମୁକାଶ୍ମୀରବାସୀଙ୍କୁ ନ୍ୟାୟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୧୯ରେ ଉଛେଦ ହୋଇଥିଲା ୩୭୦ ଏଂ ୩୫-ଏ ।
ଏହା ସହିତ ୯୦ ଦଶକରେ ବିସ୍ଥାପିତ ହୋଇଥିବା କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ଦେବା ସହ ପୁନଃଥଇଥାନ ପାଇଁ ମଧ୍ୟ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ନେଇଛନ୍ତି କେନ୍ଦ୍ରର ବିଜେପି ସରକାର ଯାହା ସେମାନଙ୍କ କ୍ଷତ ଶୁଖାଇବାରେ କିଛିଟା ସହାୟକ ହୋଇପାରିଛି ।