ଇସଲାମୀ ଆତଙ୍କବାଦୀ ମାନେ ଏବେ ପାକିସ୍ତାନରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛନ୍ତି । ପଶ୍ଟିମ ଉତ୍ତର ପାକିସ୍ତାନରେ ଇସଲାମୀ ଆତଙ୍କବାଦୀ ମାନେ ସାଧାରଣ ଲୋକ ଓ ପାକିସ୍ତାନୀ ସେନାର କର୍ମୀ ମାନଙ୍କୁ ଆକ୍ରମଣ କରିବା ପରେ ଏବେ ସେମାନେ ପାକିସ୍ତାନର ପ୍ରାକୃତିକ ଗ୍ୟାସ ଓ ତୈଳ ଉତ୍ପାଦନ ସୁବିଧା ଉପରେ ଆକ୍ରମଣ କରିଥିବା ଜଣା ପଡିଛି । ଏହି ଆକ୍ରମଣରେ ଚାରି ଜଣ ପୋଲିସକର୍ମୀ ଓ ଦୁଇ ଜଣ ଘରୋଇ ସୁରକ୍ଷା ଗାର୍ଡ ମୃତ୍ୟୁବରଣ କରିଛନ୍ତି । ପାକିସ୍ତାନ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଫଗାନିସ୍ତାନର ସୀମାରେ ଅବସ୍ଥିତ ହଂଗୁ ଜିଲ୍ଲାରେ ଥିବା ପାକିସ୍ତାନ ଅଏଲ ଏଣ୍ଡ ଗ୍ୟାସ କମ୍ପାନୀ ଦ୍ୱାରା ପରିଚାଳିତ କେନ୍ଦ୍ର ଉପରେ 50ରୁ ଉର୍ଧ ଆତଙ୍କବାଦୀ ଆକ୍ରମଣ କରିଥିଲେ ।
ପାକିସ୍ତାନୀ ପୋଲିସର କହିବା ଅନୁସାରେ ଆତଙ୍କବାଦୀ ମାନେ ଗ୍ରେନେଡ ଓ ଅନ୍ୟ ଭାରୀ ଅସ୍ତ୍ର ଶସ୍ତ୍ରରେ ସେଠାରେ ଥିବା ତୈଳ କୂପ ଉପରେ ଆକ୍ରମଣ କରିଥିଲେ । ଏବେ ଯାଏ କୌଣସି ଆତଙ୍କବାଦୀ ସମୂହ ଏହି ଆକ୍ରମଣର ଦାୟିତ୍ୱ ନେଇ ନାହିଁ। ତେବେ ଏହା ପଛରେ ପାକିସ୍ତାନୀ ତାଲିବାନ ବା ଅନ୍ୟ କୌଣସି ଆତଙ୍କବାଦୀ ସମୂହ ରହିଥିବା ଅନୁମାନ କରାଯାଉଛି । ପାକିସ୍ତାନୀ ତାଲିବାନ ସହ ଅନ୍ୟ ଆତଙ୍କବାଦୀ ସମୂହ ମାନେ ଉତର ପଶ୍ଚିମ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଥିବା ପାହାଡରେ ନିଜକୁ ସଂଗଠିତ କରୁଛନ୍ତି । ଏମାନେ ପାକିସ୍ତାନର ସୁରକ୍ଷା କର୍ମୀ ଓ ମୌଳିକ ଭିତିଭୂମି ଉପରେ ଆକ୍ରମଣର ଅଭିଯ।ନ ଆରମ୍ଭ କରିଛନ୍ତି ।
ପାକିସ୍ତାନୀ ତୈଳ କମ୍ପାନୀ ପକ୍ଷରୁ ଏକ ବିବୃତି ଜାରୀ କରି କୁହା ଯାଇଛି ଯେ ଆକ୍ରମଣ ବେଳେ କମ୍ପାନୀର କୌଣସି କର୍ମଚାରୀ ସେଠାରେ ଉପସ୍ଥିତ ନ ଥିଲେ । ସେଠାରେ କେବଳ ସୁରକ୍ଷା କର୍ମଚାରୀମାନେ ଓ ତୃତୀୟ ପକ୍ଷର ଠିକାଦାର କମ୍ପାନୀର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ପାକିସ୍ତାନୀ ତୈଳ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ପାକିସ୍ତାନର ପେଟ୍ରୋଲିୟମ ଉତ୍ପାଦର ଉତ୍ପାଦନକୁ ପ୍ରଭାବିତ କରି ନାହିଁ। ଗୋଟିଏ ତୈଳ କୂଅ ଉପରେ ଆକ୍ରମଣ ଘଟଣାକୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ମାନେ ଜବାବ ଦେଇଥିଲେ ହେଲେ ଦ୍ୱିତୀୟ ତୈଳ କୂଅ ଉପରେ ଆକ୍ରମଣ ବେଳେ ପାକିସ୍ତାନର ସୁରକ୍ଷା କର୍ମୀ ମାନେ ନିହତ ହୋଇଥିଲେ । ଏହି ଆକ୍ରମଣ ପରେ ଆତଙ୍କବାଦୀ ମାନେ ସଙ୍ଗେ ସଙ୍ଗେ ଉତ୍ତର ୱଜିରିସ୍ତାନ ଆଡକୁ ପଳାୟନ କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର