ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କେତେକ ଗାଇଡଲାଇନ ଜାରି ହୋଇଛି । ଏହି ଗାଇଡଲାଇନ ଅନୁସାରେ ବିଦେଶଯାତ୍ରୀମାନେ ଅସୁସ୍ଥ ଲୋକ ବିଶେଷକରି ଚର୍ମରୋଗ ଥିବା ଲୋକମାନଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ । ଲୋକମାନେ ମଧ୍ୟ ବଣୁଆ ଜୀବ ଯେପରିକି ମାଙ୍କଡ଼, ସିପାଞ୍ଜି, ଗୁଣ୍ଡୁଚି ମୁଷା, ସାଧାରଣ ମୁଷା ଆଦିଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ପୁଣି ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଲୋକମାନେ ବଣୁଆ ପଶୁଙ୍କ ମାଂସ ଖାଇବା ଉଚିତ ନୁହେଁ । ଆଫ୍ରିକାର ବଣୁଆ ଜୀବଙ୍କ ଶରୀରରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ୟୁଏସ ସେଣ୍ଟର ଅଫ ଡି଼ଜିଜ୍ କଣ୍ଟ୍ରୋଲ ଅନୁସାରେ ଏହା ଏକ ସଂକ୍ରମଣ ଜନିତ ରୋଗ । ଏହି ରୋଗ ମାଙ୍କଡ ମାନଙ୍କ ପାଖରୁ ହିଁ ଆସିଥାଏ । ଏହି ରୋଗ ଖୁବ ବିରଳ ଏବଂ କିଛି କ୍ଷେତ୍ରରେ ଏହା ମାରାତ୍ମକ ହୋଇଥିବା ପ୍ରମାଣ ମିଳିଛି । ତେବେ ଏଯାଏଁ ଏହାର କୌଣସି ଚିକିତ୍ସା ମିଳିପାରିନାହିଁ । ଏହି ରୋଗର ଚିକିତ୍ସା ପାଇଁ ସ୍ମଲପକ୍ସ ଟିକା ଦିଆଯାଉଛି । କିନ୍ତୁ ତାହା ମଧ୍ୟ ବଜାରରେ ଭରପୂର ଭାବେ ଉପଲବ୍ଧ ନାହିଁ । ତେଣୁ ଏ ରୋଗକୁ କିପରି ରୋକିହବ ତାହା ଚିନ୍ତା ବଢାଉଛି ।