ଅଧିକ ପଢନ୍ତୁ ଭାରତ ଖବର
୧୯୮୯ ମସିହାରେ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇ ଶ୍ରୀନଗରର ଡଲଗେଟ ମାର୍ଗରେ ତାଜିଆ ବାହାର କରିବା ଉପରେ କଟକଣା ଲଗାଇଥିଲେ । ଏହି ରାସ୍ତାରେ ଲାଲ ଚୌକ ପଡିଥାଏ । ହେଲେ ଆଜି ଏହି ରାସ୍ତାରେ ଶିଆ ମୁସଲମାନ ମାନେ ମୁହର୍ରମର ତାଜିଆ ଶୋଭାଯାତ୍ରା ବାହାର କରିଛନ୍ତି । ଏହି ତାଜିଆ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ଥିଲେ ।
କାଶ୍ମୀରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଶିଆ ସଂପ୍ରଦାୟର ଲୋକ ମାନେ ଗତ କିଛି ଦିନ ଧରି ତାଜିଆ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ମାଗୁଥିଲେ । ପ୍ରଶାସନ ଚଳିତ ବର୍ଷ ଏହାକୁ ଅନୁମତି ଦେବା ସହ ଶୋଭାଯାତ୍ରା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଥିଲେ । ଆଜି ୱାର୍କିଂ ଡେ ହୋଇଥିବା କାରଣରୁ ସକାଳ ୬ଟାରୁ ୮ଟା ଯାଏ ଦୁଇ ଘଂଟା ପାଇଁ ଶୋଭାଯାତ୍ରା ବାହାର କରିବାକୁ ସମୟ ନିର୍ଧାରିତ କରାଯାଇଥିଲା । କାଶ୍ମୀରର କମିଶନର ବିକେ ଭିଦୁରୀ ୩୩ ବର୍ଷ ପରେ ତାଜିଆ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଦିଆଯିବାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ।
ଶ୍ରୀନଗରରେ ବାହାରିଥିବା ଏହି ତାଜିଆ ଶୋଭାଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଜିଆ ଶୋଭାଯାତ୍ରା ବେଳେ ସୁରକ୍ଷା ବଳର ଜବାନ ଓ ପ୍ରେସ ରିପୋର୍ଟର ମାନେ ମଧ୍ୟ ଥିବା ଦେଖିବାକୁ ମିଳିଛି । ପ୍ରଶାସନ ଦ୍ୱାରା ନିର୍ଧାରିତ କରାଯାଇଥିବା ସମୟ ମଧ୍ୟରେ ଶୋଭାଯାତ୍ରା ଶାନ୍ତି ପୂର୍ଣ ଭାବେ ପୂରା ହୋଇଥିବା ଦେଖିବାକୁ ମିଳିଛି ।