
ଅର୍ଗସ ବ୍ୟୁରୋ : ଭାରତର ଗୌରବ ବୃଦ୍ଧି କରୁଥିବା ବହୁ ପୁରାତନ କିଲ୍ଲା ଗୁଡ଼ିକ ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି ଯାହା ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରାଏ। ଏହି ସବୁ କିଲ୍ଲା ଗୁଡ଼ିକରେ ବହୁ ରହସ୍ୟମୟ କାହାଣୀ ମଧ୍ୟ ଲୁଚି ରହିଛି। ଏଭଳି ଏକ କିଲ୍ଲା ରହିଛି ମଧ୍ୟପ୍ରଦେଶର ଭୋପାଳରେ। ଏହି କିଲ୍ଲା ପଛରେ ଯେଉଁ କାହାଣୀ ଲୁଚି ରହିଛି ଯାହା ଆପଣଙ୍କୁ ମଧ୍ୟ ବିଶ୍ଵାସ ହେବ ନାହିଁ। କୁହାଯାଏ, ଏଠାରେ ଶାସନ କରୁଥିବା ଜଣେ ରାଜା ତାଙ୍କ ନିଜ ରାଣୀଙ୍କ ମସ୍ତିଷ୍କ ଛିନ୍ନ କରିଥିଲେ। ତେବେ ଏହାକୁ ନେଇ ଏକ ରୋଚକ କାହାଣୀ ଲୁଚି ରହିଛି। ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ମଧ୍ୟ ପ୍ରଦେଶର ଥିବା ରାୟସେନ କିଲ୍ଲା 1200 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ପାହାଡ଼ ଚୂଳରେ ନିର୍ମିତ ଏହି କିଲ୍ଲା ପ୍ରାଚୀନ ବାସ୍ତୁକଳା ଏବଂ ଅଦ୍ଭୁତ ଗୁଣବତ୍ତାର ଏକ ପ୍ରମାଣ। ଏହି ମଧ୍ୟରେ ବହୁ ବର୍ଷ ବିତି ଯାଇଥିଲେ ବି ରାୟସେନ କିଲ୍ଲା ପୂର୍ବ ଭଳି ଠିଆହୋଇଛି। ବାଲିଆ ପଥରରେ ନିର୍ମିତ ଏହି କିଲ୍ଲାର 4ଟି ବଡ଼ ବଡ଼ କାନ୍ଥ ରହିଛି। ଏହି କାନ୍ଥରେ 9ଟି ଦ୍ଵାର ରହିଛି। ଏଠାରେ ବହୁ ରାଜା ଶାସନ କରିଛନ୍ତି। ସେମାନଙ୍କ ମଧ୍ୟରେ ସେର ଶାହା ସୁରୀ ଅନ୍ୟତମ।
ଇତିହାସ ସାକ୍ଷୀ ଅଛି ସେର ଶାହା ସୁରୀ ଏହି କିଲ୍ଲା ଜିତିବା ପାଇଁ ତମ୍ବା ପଇସା ତରଳାଇ ତୋପ ପ୍ରସ୍ତୁତ କରିଥିଲେ। ଏହାର ପ୍ରତି ବଦଳରେ ସେ ବିଜୟୀ ହୋଇଥିଲେ। ତେବେ ସେର ଶାହା କିଲ୍ଲା ଜିତିବା ପାଇଁ ଧୋକାର ସାହାରା ନେଇଥିଲେ। 1543 ଖ୍ରୀଷ୍ଟାବ୍ଦରେ ଏଠାରେ ରାଜା ପୂରନମଲଙ୍କ ଶାସନ ଥିଲା। ପୂରନମଲଙ୍କୁ ସେର ଶାହାଙ୍କ ସମ୍ପର୍କରେ ଜଣିବା ପରେ ସେ ଶତ୍ରୁମାନଙ୍କ ଠାରୁ ତାଙ୍କ ପତ୍ନୀ ରତ୍ନାବଳୀଙ୍କୁ ବଞ୍ଚାଇବା ପାଇଁ ରାଣୀଙ୍କ ମୁଣ୍ଡ କାଟି ଦେଇଥିଲେ।
ଏହି କିଲ୍ଲା ସହ ଜଡ଼ିତ ଆଉ ଏକ ରହସ୍ୟମୟୀ କାହାଣୀ ଲୁଚି ରହିଛି। କୁହନ୍ତି ଏଠାରେ ଶାସନ କରୁଥିବା ଜଣେ ରାଜା ରାଜସେନଙ୍କ ନିକଟରେ ପାରସ ପଥର ଥିଲା। ଯାହା ଲୁହା ଏବଂ ସୁନାକୁ ତରଳାଇ ନିର୍ମାଣ କରାଯାଇଥିଲା। ଏହି ରହସ୍ୟମୟୀ ପଥର ପାଇଁ ବହୁ ଯୁଦ୍ଧ ମଧ୍ୟ ହୋଇଛି। ରାଜା ରାଜସେନ ଯୁଦ୍ଧରେ ପରାସ୍ତ ହେବା ପରେ ସେ ପାରସ ପଥରକୁ କିଲ୍ଲା ମଧ୍ୟରେ ଥିବା ଏକ ପୋଖରୀରେ ଫୋପାଡ଼ି ଦେଇଥିଲେ। ଏହି ପଥରକୁ ପ୍ରାପ୍ତ କରିବା ପାଇଁ ବହୁ ରାଜା ଏହି କିଲ୍ଲାକୁ ଖୋଳାଖୋଳି କରିଥିଲେ, କିନ୍ତୁ କାହାକୁ ସଫଳତା ମିଳି ନଥିଲା।
ଆଜି ବି ଏଠାକୁ ଲୋକମାନେ ରାତ୍ରୀରେ ପାରସ ପଥର ଖୋଜିବା ପାଇଁ ତାନ୍ତ୍ରିକଙ୍କୁ ସାଥୀରେ ନେଇ ଯାଆନ୍ତି ସତ କିନ୍ତୁ ନିରାଶ ହୋଇ ଫେରନ୍ତି।
