ଆଜି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନବମ ଥର ପାଇଁ ପତାକା ଉଡ଼ାଇଛନ୍ତି । ତେବେ ଏହା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୋଦି । ପରେ ଲାଲକିଲ୍ଲାରେ ପହଞ୍ଚି ଗାର୍ଡ ଅଫ୍ ଅନର୍ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ହେଲିକପ୍ଟର ସାହାଯ୍ୟରେ ପୁଷ୍ପବୃଷ୍ଟି ହୋଇଥିଲା । ପରେ ଲାଲକିଲ୍ଲାର ସୁଉଚ୍ଚ ପ୍ରାଚୀର ସେପାଖକୁ ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ ନାରା ସହ ଜୟ ଅନୁସନ୍ଧାନ ମଧ୍ୟ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶର ବିକାଶ ପାଇଁ ପୁଅ-ଝିଅଙ୍କ ମଧ୍ୟରେ ସମତା ପ୍ରତିଷ୍ଠା କରିବାକୁ ହେବ । ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣୁଛନ୍ତି । ତେଣୁ ପୁଅ-ଝିଅ ମଧ୍ୟରେ କୌଣସି ପ୍ରକାର ପ୍ରଭେଦ ନରଖିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦି । ନାରୀର ଅସମ୍ମାନ ଦେଶର ଅସମ୍ମାନ । ତେଣୁ ଭାରତୀୟ ଜୀବନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖି ନାରୀ ନିର୍ଯାତନା ସମ୍ପୂର୍ଣ୍ଣ ରୂପେ ନିପାତ କରିବା ପାଇଁ ମଧ୍ୟ ଆହ୍ବାନ ମୋଦି ଜଣାଇଛନ୍ତି ।
ସେହିପରି ମେଡ୍ ଇନ୍ ଇଣ୍ଡିଆ ବା ସ୍ବଦେଶୀ ଅଭିଯାନ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ସ୍ବତନ୍ତ୍ରତା ଦିବସ ଅବସରରେ ଭାରତ ନିର୍ମିତ ଟ୍ୟାଙ୍କରୁ ତୋପସଲାମି ଦିଆଯାଇଛି । ଏପରିକି ଛୋଟଛୋଟ ପିଲା ଯେଉଁମାନେ ବିଦେଶୀ ଖେଳଣା ବ୍ୟବହାର ବନ୍ଦ କରିଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପିଏମ୍ ।
ଅଭିଭାଷଣ ଶେଷରେ ଛୋଟଛୋଟ ପିଲାଙ୍କ ଗହଣରେ କିଛି ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ । ସ୍ବାଧୀନତା ଦିବସ ଅବସରରେ ଆଜି ଲାଲକିଲ୍ଲାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ବିବିଧତା ମଧ୍ୟରେ ଏକତା ହିଁ ଭାରତର ଶକ୍ତି ବୋଲି ଆଜିର ସ୍ବାଧୀନତା ଦିବସର ଅବସରରେ ସାରା ବିଶ୍ବକୁ ଭାରତ ବାର୍ତ୍ତା ଦେଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।