
ଅହମଦାବାଦ : ମୋଟେରା ସର୍ଦ୍ଦାର ବଲ୍ଲଭାଇ ପଟେଲ ଷ୍ଟାଡିଅମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ପହଁଚିଛନ୍ତି। ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାର ଆମେରିକାରୁ ଲମ୍ବା ଯାତ୍ରା ଅତିକ୍ରମ କରି ସିଧା ସଳଖ ଭାବେ ସାବରମତୀ ଆଶ୍ରମରେ ପହଁଚିଥିଲେ। ଏହାପରେ ସେମାନେ ମୋଟେରାରେ ପହଁଚିଛନ୍ତି। ଏହି ଅବସରରେ ଟ୍ରମ୍ପଙ୍କ ପାଇଁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଥମେ ମୋଦି ଅଭିଭାଷଣ ଦେଇ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପରିବାରଙ୍କୁ ସ୍ଵାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାରତ ମାତା କି ଜୟ, ନମସ୍ତେ ଟ୍ରମ୍ପ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଇଣ୍ଡିଆ-ୟୁଏସଏ ଫ୍ରେଣ୍ଡସିପ୍ ଲଙ୍ଗ୍ ଲିଭ୍, ଲଙ୍ଗ୍ ଲିଭ୍ ନାରା ଦେଇଛନ୍ତି। ମୋଦି କହିଛନ୍ତି ଯେ, ମୋଟେରା ଷ୍ଟାଡିଅମରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ୫ ମାସ ପୂର୍ବରୁ ମୁଁ ଆମେରିକା ଯାତ୍ରାର ଆରମ୍ଭ ହ୍ୟୁଷ୍ଟନରେ ହୋଇଥିବା ହାଓଡୀ ମୋଦୀ କାର୍ଯ୍ୟକ୍ରମରୁ କରିଥିଲି। ଆଜି ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଐତିହାସିକ ଭାରତ ଯାତ୍ରାର ଆରମ୍ଭ ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ କରିଛନ୍ତି। ସେ ଆମେରିକାରୁ ସିଧା ଏହି ସ୍ଥାନରେ ପହଁଚିଛନ୍ତି। ଲମ୍ଵା ଯାତ୍ରା ଅତିକ୍ରମ କରି ଟ୍ରମ୍ପ ଏବଂ ତାଙ୍କ ପରିବାର ସିଧା ସାବରମତୀ ଯାଇଥିଲେ ଏବଂ ଏହାପରେ ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ଦୁନିଆର ସବୁଠୁ ବଡ ଗଣତନ୍ତ୍ରରେ ମୋଦି ଟ୍ରମ୍ପଙ୍କୁ ସ୍ଵାଗତ କରିଛନ୍ତି।
ଏହି ମାଟି ଗୁଜୁରାଟର କିନ୍ତୁ ଆପଣଙ୍କ ସ୍ଵାଗତ ପାଇଁ ଜୋଶ୍ ସମ୍ପୂର୍ଣ୍ଣ ହିନ୍ଦୁସ୍ତାନର
ମୋଦି ପୁଣି କହିଛନ୍ତି ଯେ, ଏହି ମାଟି ଗୁଜୁରାଟର କିନ୍ତୁ ଆପଣଙ୍କ ସ୍ଵାଗତ ପାଇଁ ଜୋଶ୍ ସମ୍ପୂର୍ଣ୍ଣ ହିନ୍ଦୁସ୍ତାନର ରହିଛି। ଏହି ଉତ୍ସାହ, ନଭତ୍ସୁମ୍ଭୀ ଶବ୍ଦ, ଚାରିଆଡେ ଭାରତ ବିବିଧତାର ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖାଯାଉଛି। ଏହି ବାତାବରଣ ମଧ୍ୟରେ ଟ୍ରମ୍ପ ଏବଂ ତାଙ୍କ ପରିବାରଙ୍କ ଉପସ୍ଥିତି ଭାରତ-ଆମେରିକାର ସମ୍ପର୍କ ସୁଦୃଢ କରିଛି। ଏହି ଭବ୍ୟ ସମାରୋହ ପାଇଁ ମୋଦି ଗୁଜୁରାଟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଆଜି ଟ୍ରମ୍ପ ବିବିଧତାରେ ପୂର୍ଣ୍ଣ ଭାରତରେ ଅଛନ୍ତି
ମୋଦି କହିଛନ୍ତି, ଟ୍ରମ୍ପ ସେହି ଭୂମିରେ ଅଛନ୍ତି ଯେଉଁଠାରେ ୫ ହଜାର ବର୍ଷ ପୁରୁଣା ପ୍ଲାଣ୍ଟ ସିଟି ଡୋଲାବିରା ରହିଛି, ସେତିକି ପୁରୁଣା ଲୋଥାଲ ସିପୋର୍ଟ ବି ରହିଛି। ଆଜି ଆପଣ ସେହି ସାବରମତୀ କୂଳରେ ଅଛନ୍ତି ଯାହାକି ଭାରତର ସ୍ଵାଧୀନତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ଆପଣ ବିବିଧତାରେ ପୂର୍ଣ୍ଣ ଭାରତରେ ଅଛନ୍ତି ଯେଉଁଠାରେ ଶହଶହ ଭାଷା କହୁଥିବା ଲୋକ ଅଛନ୍ତି, ଶହଶହ ପ୍ରକାର ପରିଧାନ ପିନ୍ଧୁଥିବା ଲୋକ ଅଛନ୍ତି, ଶହଶହ ପ୍ରକାରର ଖାଦ୍ୟପେୟ ରହିଛି, ଶହଶହ ସମୁଦାୟ ରହିଛନ୍ତି। ଆମର ଏହି ବିବିଧତା ମଧ୍ୟରେ ଏକତା ଭାରତ-ଆମେରିକା ମଧ୍ୟରେ ସୁଦୃଢ ସମ୍ପର୍କ ସ୍ଥାପନ କରିବ।
ଜଣେ ଷ୍ଟାଚ୍ୟୁ ଅଫ ଲିବରଟିକୁ ନେଇ ଗର୍ବିତ ଅନ୍ୟ ଜଣେ ଷ୍ଟାଚ୍ୟୁ ଅଫ ୟୁନିଟକୁ ନେଇ ଗର୍ବିତ
ଜଣେ ଷ୍ଟାଚ୍ୟୁ ଅଫ ଲିବରଟିକୁ ନେଇ ଗର୍ବିତ ଅନ୍ୟ ଜଣେ ସର୍ଦ୍ଦାର ପଟେଲଙ୍କ ପାଇଁ ନିର୍ମିତି ଜଣେ ଷ୍ଟାଚ୍ୟୁ ଅଫ ୟୁନିଟକୁ ନେଇ ଗର୍ବିତ। ମୁଁ ଖୁସୀ ଅନୁଭବ କରୁଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ଵରେ ଭାରତ ଆମେରିକାର ସମ୍ପର୍କ ଅଧିକ ସୁଦୃଢ ହୋଇଛି। ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଯାହାକି ଆମେରିକୀୟ ଏବଂ ଭାରତୀୟଙ୍କ ପାଇଁ ଉନ୍ନତି ଓ ସମୃଦ୍ଧି ଆଣିବ। ଆମେରିକାର ସ୍ଵପ୍ନକୁ ସାକାର କରିବାକୁ ଟ୍ରମ୍ପ ଯାହା କରିଛନ୍ତି ତାହା ସମ୍ପୂର୍ଣ୍ଣ ଦୁନିଆ ପାଇଁ ଉଦାହରଣ।
ମିଲେନିଆ, ଇବାଙ୍କା ଏବଂ ଜେରେଡଙ୍କୁ ସ୍ବାଗତ କଲେ ମୋଦି
ଏହି ସମୟରେ ମୋଦି ଆମେରିକାର ପ୍ରଥମ ମହିଳା ମିଲେନିଆ, ଇବାଙ୍କା ଏବଂ ଜେରେଡଙ୍କୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ, ମିଲେନିଆ ଏଠାରେ ଉପସ୍ଥିତ ହେବା ଗର୍ବର କଥା। ସମାଜ ପାଇଁ ଆପଣ ଯାହା କରିଛନ୍ତି ତାହା ପ୍ରଶଂସନୀୟ। ଇବାଙ୍କା ପୂର୍ବରୁ ଭାରତ ଆସିଥିଲେ। ସେହି ସମୟରେ ସେ କହିଥିଲେ ମୁଁ ପୁନର୍ବାର ଭାରତ ଆସିବାକୁ ଚାହୁଁଛି। ଜେରେଡଙ୍କୁ ଭାରତରେ ଦେଖି ମଧ୍ୟ ମୁଁ ଖୁସୀ। ଏହା ସହ ମୋଦି ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି।

