ଭୁବନେଶ୍ୱର/ନୂଆଦିଲ୍ଲୀ: ଥରୁଛି ରାଜ୍ୟ ତଥା ଓଡ଼ିଶା । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଝିପିଝିପି ବର୍ଷା ଚାଷୀଙ୍କ ଚିନ୍ତାର କାରଣ ପାଲଟିଲାଣି । ସେପଟେ ସମଗ୍ର ଉତ୍ତର ଭାରତରେ ଏବେ ହାଡ଼ଥରା ଶୀତ ଅନୁଭୂତ ହେଉଛି । ଦିଲ୍ଲୀରେ ଶୀତ ୧୨୦ ବର୍ଷର ରେକର୍ଡ ଭାଙ୍ଗିଲାଣି । ଦିଲ୍ଲୀ ବାସିନ୍ଦା ୧୦ ଦିନ ହେଲାଣି ପ୍ରବଳ ଶୀତରେ ଥରୁଛନ୍ତି । ଦ୍ରାସ୍ରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଶୀତର ଭୟଙ୍କର ପ୍ରକୋପ। ପଦାକୁ ପାଦ କାଢ଼ିବାକୁ ଭୟ। ଘନ କୁହୁଡ଼ି ବି ସମସ୍ୟା ବଢ଼ାଇ ଦେଇଛି । ଚଳିତ ଶୀତ ଋତୁର ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି ଦିଲ୍ଲୀରେ । ପ୍ରବଳ ଶୀତ କାରଣରୁ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ିଛି ।
ଶୀତଲହରୀକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଘୋଷଣା କରିଛି । ଶନିବାର ଦିଲ୍ଲୀରେ ବିଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଛି । ପାଣିପାଗ ବିଭାଗର କହିବା ଅନୁସାରେ ରବିବାର ଏହା ପୂରୁଣା ରେକର୍ଡ ଅତିକ୍ରମ କରିବ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଡିସେମ୍ବର ୩୧ ପରେ ସାମନ୍ୟ ଆଶ୍ୱସ୍ତି ମିଳିପାରେ । ସେହିଭଳି ୨୦୨୦ ଜାନୁଆରୀ ୧ ଓ ୨ରେ ତୁଷାରପାତ ହୋଇପାରେ । ଏହା ପରେ ଶୀତ ସାମାନ୍ୟ କମ ହୋଇପାରେ । ଶନିବାର ଦିଲ୍ଲୀର ଆୟାନଗର ଓ ଲୋଧୀରୋଡରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ମୁଙ୍ଗେଶପୁରରେ ୧.୪ ଡିଗ୍ରୀ, ଲୋଧୀରୋଡରେ ସର୍ବନିମ୍ନ ୧.୪ଡିଗ୍ରୀ ଓ ଆୟାନଗରରେ ୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପାଲମରେ ତାପମାତ୍ରା ୧୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଏହା ସାଧାରଣ ଠାରୁ ୯ ଡିଗ୍ରୀ ବୋଲି କହିଛି ପାଣିପାଗ ବିଭାଗ ।

