୧୯୪୭ ଜୁଲାଇ ୨୨ରେ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ଧ୍ଵଜା ଭାବରେ ସମ୍ବିଧାନ ସଭା ଦ୍ବାରା ଘୋଷଣା କରାଯାଇଥିଲା । ଯେତେବେଳେ ଆମେ ଔପନିବେଶିକବାଦ ସହ ଲଢେଇ କରୁଥିଲେ ସେହି ସମୟରେ ଯେଉଁ ସ୍ଵତନ୍ତ୍ରତା ସେନାନୀମାନେ ଏକ ରାଷ୍ଟ୍ର, ଏକ ଧ୍ଵଜାର ସ୍ଵପ୍ନ ଦେଖିଥିଲେ ସେମାନଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ଆମେ ଆମର ପ୍ରତିବଦ୍ଧତା ଜଣାଇବା ।
ଚଳିତ ବର୍ଷ ‘ଆଜାଦୀର ଅମୃତ ମହୋତ୍ସବ’ ପାଳନ କରିବା ବେଳେ ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରନ୍ତୁ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିବା ସହ ଏହି ସମ୍ପର୍କିତ ଅନେକ ଐତିହାସିକ ଦସ୍ତାବିଜ୍ ଓ ପ୍ରଥମ ଜାତୀୟ ପତାକାର ଫଟୋଚିତ୍ରକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।
ହର ଘର ତ୍ରିରଙ୍ଗା ଅଭିଯାନକୁ ବ୍ୟାପକ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଗତ ରବିବାର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଥିଲେ। ଶାହା ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଅଭିଯାନରେ ଯୋଡ଼ି ହେବା ପାଇଁ ଟ୍ବିଟ୍ ମାଧ୍ୟମରେ ଅପିଲ୍ କରିଛନ୍ତି । ଏହା ଦ୍ବାରା ଆମେ ଆମର ଯୁବପିଢ଼ିଙ୍କ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଅନ୍ତରଙ୍ଗତାକୁ ଆହୁରି ବଢ଼ାଇ ପାରିବା । ଦେଶର ସ୍ବାଧିନତା ପାଇଁ ସଂଘର୍ଷ କରିଥିବା ବୀରମାନଙ୍କର ତ୍ୟାଗ ସମ୍ପର୍କରେ ସେମାନଙ୍କୁ ଅବଗତ କରେଇ ପାରିବା । ଦେଶରେ ପ୍ରାୟ ୨୦ କୋଟି ଗୃହରେ ଯଉଁ ରାଷ୍ଟ୍ରୀୟ ଧ୍ବଜା ଉଡ଼ିବ ତାହା ପ୍ରତ୍ୟୋକ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କ ମନରେ ଦେଶଭକ୍ତିର ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ବଳିତ କରିବ ବୋଲି କହିଛନ୍ତି ଶାହା ।
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ ମାଧ୍ୟମରେ ୧୩୫ କୋଟି ଭାରତୀୟଙ୍କୁ ଗର୍ବ ଓ ଉତ୍ସାହର ସହ ଏହି ଅଭିଯାନରେ ଯୋଡ଼ି ହେବାକୁ ଆହ୍ବାନ ଦେଇଛନ୍ତି । ଏହା ଆମ ସ୍ବାଧିନତା ସଂଗ୍ରାମ ପାଇଁ ବଳିଦାନ ଦେଇଥିବା ମହାନ ପୂର୍ବପୁରୁଷଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଂଜଳି ହେବ । ତ୍ରିରଙ୍ଗା କେବଳ ଆମର ଗର୍ବ ନୁହେଁ ବରଂ ଆମର ଏକତା, ବିବିଧତା, ସାହସ, ଦେଶପ୍ରେମ, ଆଶା ଏବଂ ଆକାଂକ୍ଷାର ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦେଶବାସୀ କିପରି ଅଧିକରୁ ଅଧିକ ଏହି ଅଭଯାନରେ ନିଜକୁ ଯୋଡ଼ି ପାରିବେ ସେଥିପାଇଁ ସ୍ବତନ୍ତ୍ର ଭାବରେ ଏକ ଓ୍ବେବସାଇଟ୍ ପ୍ରସ୍ତୁତ କରାଯାଇଛି ।