ନୂଆଦିଲ୍ଲୀ: ଇଣ୍ଡିଆନ୍ ଏୟାରଫୋର୍ସ ପାକିସ୍ତାନ ସୀମାରେ ପଶି ଫେବୃଆରୀ ୨୬ରେ ଯେଉଁ ଧ୍ୱଂସ ଲୀଳା ରଚିଥିଲା ସେଥିରେ ଆମ ପଡ଼ୋଶୀ ରାଷ୍ଟ୍ରରେ ଛନକା ପଶିଛି । ଇସଲାମାବାଦ ପାଖରେ ଥିବା ବାଲାକୋଟରେ ସେହି ଦିନ ଭୋର ୩.୩୦ରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା । ଏହି ଏୟାର ଷ୍ଟ୍ରାଇକ୍ରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
ଭାରତ ପକ୍ଷରୁ ଏହି ଷ୍ଟ୍ରାଇକ୍ ଜୈସ୍-ଏ-ମହମ୍ମଦର କ୍ୟାମ୍ପକୁ ଟାର୍ଗେଟ କରି କରାଯାଇଥିଲା । କିନ୍ତୁ ଏହି ଏୟାର ଷ୍ଟ୍ରାଇକ୍ ପରେ ଚିରାଚରିତ ଢଙ୍ଗରେ ପାକିସ୍ତାନ ନିଜର ପରାଜୟ ଲୁଚାଇବାକୁ ଯାଇ ମିଛ କହିଥିଲା । ପାକିସ୍ତାନ ମତରେ ଭାରତୀୟ ବାୟୁସେନା ଜୈସର କ୍ୟାମ୍ପ ନୁହେଁ ବରଂ ଖୋଲା ସ୍ଥାନରେ ବୋମାମାଡ଼ କରିଥିଲା । ଏହି ବୋମାମାଡ଼ରେ କେବଳ କିଛି ଗଛ ନଷ୍ଟ ହୋଇଥିବା ଦାବି କରୁଥିଲା ପାକିସ୍ତାନ । କେବଳ ସେତିକି ନୁହଁ, ପାକିସ୍ତାନର ଏହି ନିରାଟ ମିଛକୁ ଭାରତର କିଛି ନାମୀଦାମୀ ନେତା ମଧ୍ୟ ସ୍ୱୀକାର କଲେ ।
ମାର୍ଚ୍ଚ ୧ରେ ପାକିସ୍ତାନର ବୈଦେଶୀକ ମନ୍ତ୍ରୀ ଶାହ ମହମୁଦ କୁରୈସି କହିଲେ, ମସୁଦ ଅଜହର ପାକିସ୍ତାନରେ ହିଁ ଅଛି, ସେ ରୋଗରେ ପଡ଼ିଛି, କେଉଁଆଡ଼େ ଯିବା ଆସିବା ବି କରିପାରୁନି ।
ପାକିସ୍ତାନର ମିଛକୁ ଯଦିଓ କିଛି ଭାରତୀୟ ସ୍ୱୀକାର କରୁଛନ୍ତି କିନ୍ତୁ ଜଣେ ଇଟାଲିୟାନ୍ ସାମ୍ବାଦିକଙ୍କ ଟ୍ୱିଟ୍କୁ ଦେଖିଲା ପରେ ଏମାନଙ୍କୁ ଭାରତୀୟ କହିବାକୁ ବି ଖରାପ ଲାଗିବ ନିଶ୍ଚୟ । ସାମ୍ବାଦିକଙ୍କ କହିବା ଅନୁଯାୟୀ, ସେ ବାଲାକୋଟ ବାସିନ୍ଦାଙ୍କୁ ପଚାରି ବୁଝିବା ପରେ ଜାଣିବାକୁ ପାଇଲେ ଯେ ଏୟାର ଷ୍ଟ୍ରାଇକ୍ ପରେ ବହୁ ଡଜନ ମୃତଦେହ ସେଠାରୁ ଉଠାଇ ନିଆଯାଇଛି । ବାଲାକୋଟରେ ଜଣେ ବି ମରିନଥିବା ପାକିସ୍ତାନ ଦାବି କରୁଥିବା ବେଳେ ଇଟାଲିୟାନ ସାମ୍ବାଦିକଙ୍କ ଟ୍ୱିଟ୍ ଏହାକୁ ମିଛ ବୋଲି ପ୍ରମାଣିତ କରୁଛି । ଅନ୍ୟପଟେ ପାକିସ୍ତାନ କହୁଛି ମସୁଦ ଅଜହର ରୋଗରେ ପଡ଼ିଛି ।
କିନ୍ତୁ ଏମିତି କିଛି ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ମସୁଦ ଅଜହର ବାଲାକୋଟ ସ୍ଥିତ ଜୈସ କ୍ୟାମ୍ପରେ ଥିଲା ଏବଂ ଏୟାର ଷ୍ଟ୍ରାଇକ୍ରେ ମୃତ୍ୟୁବରଣ କରିଥିବା ଦର୍ଶାଉଛି । ମଜାଦାର କଥା ହେଉଛି ପାକିସ୍ତାନ ଏବେ କହୁଛି ମସୁଦ ବଡ଼ ରୋଗରେ ପୀଡ଼ିତ ଅଛି । ହୁଏତ କିଛି ଦିନ ପରେ ରୋଗ ଭଲ ହୋଇ ନପାରିବାରୁ ମସୁଦର ମୃତ୍ୟୁ ହୋଇଛି ବୋଲି ପାକିସ୍ତାନ କହିପାରେ । ପାକିସ୍ତାନ ମିଛ ଯେତେ ବି ଲୁଚାଇଲେ ଧରା ପଡ଼ିବ । ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ରେ ମସୁଦ ସଫା ହୋଇଯାଇଥିବା ରିପୋର୍ଟରୁ ଜଣାପଡ଼ୁଥିବା ବେଳେ ପାକିସ୍ତାନ ଆଉ କେତେ ମିଛ କହିବ ତାହା ଦେଖିବାକୁ ବାକି ରହିଲା ।
