ନୂଆଦିଲ୍ଲୀ: ୧୪ ଫେବୃଆରୀ ୨୦୧୯ର ଘଟଣା ପ୍ରତ୍ୟେକଟି ଭାରତୀୟଙ୍କ ହୃଦୟକୁ ଆନ୍ଦୋଳିତ କରୁଛି । ସାରା ଦେଶରେ ପ୍ରତିଶୋଧର ବହ୍ନି ପ୍ରଜ୍ଜଳିତ ହେଉଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଶତ୍ରୁଙ୍କୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାସହ ବିରୋଧୀ ଦଳ, ସରକାର ଏବଂ ଦେଶବାସୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।
ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଶନିବାର ଦିଲ୍ଲୀରେ ଆୟୋଜିତ ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ । ଆଜିର ଏହି ବୈଠକରେ ପୁଲଓ୍ୱାମା ହମଲା ବିଷୟରେ ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ସର୍ବଦଳୀୟ ବୈଠକ ଶେଷ ହେବା ପରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ସବୁ ବିରୋଧୀ ଦଳ ଦେଶ ଏବଂ ସରକାରଙ୍କ ସହ ଅଛନ୍ତି ।
ଏହାସହ କାଶ୍ମୀରବାସୀ ଏହି ହମଲାର ଜବାବ ଦେବା ପାଇଁ ମଧ୍ୟ ଦେଶ ସହ ଅଛନ୍ତି ବୋଲି କହିଛନ୍ତି ସଂସଦୀୟ କାର୍ଯ୍ୟମନ୍ତ୍ରୀ ନରେନ୍ଦ୍ର ତୋମାର । ରାଜ୍ୟରେ ଏମିତି କିଛି ତତ୍ତ୍ୱ ରହିଛି, ଯାହାକି ସୀମା ଆରପାରିରେ ଥିବା ଆତଙ୍କବାଦୀ ସଂଗଠନଙ୍କୁ ସାହାଯ୍ୟ କରୁଛି, ଯେଉଁମାନେ କାଶ୍ମୀରର ପ୍ରକୃତ ଶତ୍ରୁ । ଦେଶ ଆତଙ୍କବାଦୀ ବିରୋଧରେ ଲଢେଇ ଜାରି ରଖିଛି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମଧ୍ୟ କହିଛନ୍ତି ନରେନ୍ଦ୍ର ତୋମାର ।
ତୋମାର ସୂଚନା ଦେଇଛନ୍ତି ଯେ, ବୈଠକରେ ରାଜନାଥ ସିଂହ କହିଲେ ଆମେ ସମସ୍ତେ ଏକାଠି ହୋଇ ଆତଙ୍କବାଦକୁ ଉପାଡ଼ି ଫୋପାଡ଼ିଦେବା । କାଶ୍ମୀରରେ ଶାନ୍ତି ଫେରି ଆସିବ । ସାମାନ୍ୟ ସୂଚନାରେ ସବୁ ଦଳର ନେତା ଆସିଥିବାରୁ ରାଜନାଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ସବୁ ଦଳର ନେତା ସହିଦ ଯବାନଙ୍କୁ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବୈଠକରେ ପ୍ରସ୍ତାବ ପାସ୍

ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ଏକ ପ୍ରସ୍ତାବ ପାସ୍ ମଧ୍ୟ ହୋଇଛି ।
୧-ଏହା ଜରିଆରେ ୧୪ ଫେବୃଆରୀରେ ପୁଲୱାମାରେ ହୋଇଥିବା ଆତଙ୍କି ହମଲାର ଦୃଢ ନିନ୍ଦା କରାଯାଇଛି । ପ୍ରସ୍ତାବରେ କୁହାଯାଇଛି, ‘ଏହି ଦୁଃଖ ସମୟରେ ଦେଶବାସୀଙ୍କ ସମେତ ସହିଦ ପରିବାର ସହ ଆମେ ଦୃଢ ଭାବେ ରହିଛୁ ।’
୨- ସୀମା ଆରପାରିରୁ ଆମକୁ ଦୃଢ ସମର୍ଥନ ମିଳୁଛି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପାଇଁ ସବୁ ନିନ୍ଦା କରୁଛନ୍ତି ।
୩- ପୂର୍ବ ୩ ଦଶକ ହେଲା ଭାରତ ସୀମା ଆରପାରିର ଆତଙ୍କବାଦ ସହ ଲଢେଇ କରୁଛି । ଭାରତ ଏହିଭଳି ଚାଲେଞ୍ଜକୁ ମିଳିମିଶି ସାମ୍ନା କରୁଛି । ଏହି ଲଢେଇେରେ ପୁରା ଦେଶ ଏକାସାଙ୍ଗରେ ଅଛନ୍ତି । ଆତଙ୍କବାଦୀଙ୍କ ସହ ସେନାଙ୍କ ଲଢେଇରେ ଆମେ ଦୃଢତାର ସହ ଛିଡ଼ା ହୋଇଛୁ ।
ଆଜିର ଏହି ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ପିନାକୀ ମିଶ୍ର ଯୋଗ ଦେଇଥିଲେ । ବୈଠକ ସରିବା ପରେ ନିଜ ପ୍ରତିକ୍ରିୟାରେ ପିନାକୀ କହିଛନ୍ତି, ସେନା ଓ ସରକାରଙ୍କ ସହ ବିଜେଡି ରହିଛି । ଏହି ସର୍ବଦଳୀୟ ବୈଠକରେ ଗୃହ ସଚିବ ରାଜୀବ ଗୌବା, ସିଆରପିଏଫ୍ର ମହାନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ ।
