ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶ୍ମୀରର 370ଠାରୁ ଆରମ୍ଭ କରି ତିନ୍ ତଲାକ୍ ପର୍ଯ୍ୟନ୍ତ ଏବଂ ଗାନ୍ଧି ଜୀଙ୍କ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୋଦି । କାଶ୍ମୀର ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି ଯଦି ବର୍ତ୍ତମାନର କେନ୍ଦ୍ର ସରକାର ପୂର୍ବତନ କଂଗ୍ରେସ ସରକାର ଭଳି କାମ କରିଥାନ୍ତେ, ତେବେ 370 ଧାରା କେବେ ବି ଉଚ୍ଛେଦ ହୋଇପାରି ନଥାନ୍ତା ।
ଖାଲି ସେତିକି ନୁହେଁ ସାରା ଭାରତ ବର୍ଷ ଅପେକ୍ଷା କରି ରହିଥିବା ଅଯୋଧ୍ୟାରେ ରାମ ମନ୍ଦିର ବିବାଦ ମଧ୍ୟ କେବେ ବି ସମାଧାନ ହୋଇପାରି ନଥାନ୍ତା । ଆଉ ଆଜି ବି ତିନ୍ ତଲାକ ଭୟରେ ମୁସଲମାନ୍ ମହିଳା ଡରି ଡରି ବଞ୍ଚିଥାନ୍ତେ । ଗାନ୍ଧିଜୀଙ୍କ ପ୍ରସଙ୍ଗରେ କଂଗ୍ରେସକୁ କଡା ସମାଲୋଚନା କରି ମୋଦି କହିଛନ୍ତି ଗାନ୍ଧି ଜୀ ‘ଆପଣଙ୍କ ପାଇଁ କେବଳ ଟ୍ରେଲର ହୋଇପାରନ୍ତି ହେଲେ ଆମ ପାଇଁ ଜୀବନ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଆହୁରି ମଧ୍ୟ ତାତ୍ସଲ୍ୟ କରି କହିଛନ୍ତି ଯେ, ଯଦି ନୂଆ କେନ୍ଦ୍ର ସରକାର କଂଗ୍ରେସ ସରକାର ଭଳି କାମ କରିଥାନ୍ତା ତେବେ ଦେଶରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମଧ୍ୟ ମିଳିବା କଷ୍ଟ କର ହୋଇପଡ଼ିଥାନ୍ତା ।
ବିଜେପି ସରକାରର ସାହସ ଯୋଗୁଁ ଆଜି, ଦେଶରେ ଲାଗି ରହିଥିବା ଅନେକ ସମସ୍ୟାର ମୂଳପୋଛ ହୋଇପାରିଛି । ନହେଲେ ଦେଶ ସେମିତି ଫଛରେ ପଡି ରହିଥାନ୍ତା । ସରକାରଙ୍କ ଗତି ବଢିନଥିଲେ, ୩୬ କୋଟି ଲୋକଙ୍କ ବ୍ୟାଙ୍କ ଖାତା ଖୋଲି ନଥାନ୍ତା କିମ୍ବା ୧୩ କୋଟି ଗରିବଙ୍କ ଘରେ ଗ୍ୟାସ୍ ଚୁଲ୍ଲା ପହଞ୍ଚିନଥାନ୍ତା ।
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସଦା ସର୍ବଦା ଚେଷ୍ଟା କରିଛି । ପୂର୍ବରୁ କୃଷି ପାଇଁ ବଜେଟରେ 2୭ ହଜାର କୋଟି ବ୍ୟୟବରାଦ ଥିଲାବେଳେ ଏବେ କୃଷି ବ୍ୟୟବରାଦ ୫ ଗୁଣ ବଢି ଦେଢ ଲକ୍ଷ କୋଟିରେ ପହଞ୍ଚିଛି । ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ୪୫ ହଜାର କୋଟି ଟଙ୍କା ଦିଆଯାଇଛି । କିଛି ରାଜ୍ୟ ଏ ପର୍ଯ୍ୟନ୍ତ ପିଏମ୍ କିଷାନ୍ ପାଇଁ ଚଷୀଙ୍କ ତାଲିକା ଦେଇ ନାହାନ୍ତି । ଏହା ଦ୍ୱାରା ଚାଷୀ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି ।
