ଅର୍ଗସ ବ୍ୟୁରୋ : 'ମତ ଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ' । ଭୋଟଦାନକୁ ନେଇ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ଏଭଳି ଦାୟିତ୍ୱବୋଧ ରହିବା ନିହାତି ଆବଶ୍ୟକ । କାରଣ ରାଷ୍ଟ୍ର ଗଠନରେ ମତଦାତା ମାନେ ହିଁ ମୂଳପିଣ୍ଡ । କିଛି ଏଭଳି ବିଷୟବସ୍ତୁ ସହ ରାଜଧାନୀରେ ପାଳନ ହୋଇଯାଇଛି ଜାତୀୟ ଭୋଟର ଦିବସ । ରବୀନ୍ଦ୍ର ମଣ୍ଡପ ଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭୋଟ ଦେବା ସହିତ ସୁନାଗରିକ ହୋଇ କର୍ତ୍ତବ୍ୟ ତୁଲାଇବା ପାଇଁ ଶପଥ ପାଠ କରାଇଛନ୍ତି । ଏଥି ସହିତ ଆଜିର କାର୍ଯ୍ୟକ୍ରମରେ ଫଟୋ ସମ୍ବଳିତ ବିଭିନ୍ନ କାଟାଲଗ୍ ଉନ୍ମୋଚନ କରିଛନ୍ତି ।
ରାଷ୍ଟ୍ର ଗଠନରେ ମତଦାନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟକୁ ଆଗକୁ ନେବାରେ ମତଦାତା ହିଁ ସାରଥୀ ହୋଇଥିବା ବେଳେ ଜନପ୍ରତିନିଧି ମାନେ କେବଳ ପ୍ରତୀକ। ମତଦାତାଙ୍କ ଗୋଟିଏ ଭୋଟ ହିଁ ଜନପ୍ରତିନିଧି ମାନଙ୍କ ଭାଗ୍ୟ ନିର୍ଧାରଣ କରିବାରେ ବେଶ ଗୁରୁତ୍ୱପୂର୍ଣ୍ଣ । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେଲେ ମତଦାତା ମାନେ ଆଗକୁ ଆସି ମତ ସାବ୍ୟସ୍ତ କରିବା ନିହାତି ଆବଶ୍ୟକ ।
ମତଦାନ କେବଳ ଅଧିକାର ନୁହେଁ, ଏହା ସମସ୍ତଙ୍କ ପାଇଁ ଏକ ଗୁରୁଦାୟିତ୍ୱ । ମତଦାତାର ଗୋଟିଏ ମତ ହି ଦେଶର ଭବିଷ୍ୟତ ଏବଂ ବିକାଶ ଧାରାକୁ ନିର୍ଦ୍ଧାରଣ କରିଥାଏ । ତେଣୁ ଆଜିର ଦିନରେ ମତଦାନକୁ ନେଇ ସଭିଏଁ ସଚେତନ ରହିବା ଉତ୍ତମ ଏବଂ ସଚେତନ ନାଗରିକର ପରିଚୟ ।