
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ଏନଡି ତିୱାରିଙ୍କ ପୁଅର ମୃତ୍ୟକୁ ନେଇ ସସପେନ୍ସ ଲାଗିରହିଛି । ପ୍ରାଥମିକ ତଦନ୍ତ ଓ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି । ଏବେ ସନ୍ଦେହଘେରରେ ପୂରା ପରିବାର । ଆଜି ସକାଳ ପଚାର ଉଚରା ପାଇଁ ପୋଲିସ ରୋହିତଙ୍କ ଘରେ ପହଞ୍ଚିଥିଲା ।
ଦିଲ୍ଲୀ ପୋଲିସ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେବା ପରେ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟରୁ ତକିଆକୁ ମୁହଁରେ ଚାପି ଶ୍ୱାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ତଦନ୍ତ ପାଇଁ ପୋଲିସ ରୋହିତଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ମାଆ ଓ ପତ୍ନୀ ହରିଦ୍ୱାରରେ ଥିବା କାରଣରୁ ପଚରାଉଚରା କରିପାରିନଥିଲା । ତେବେ ଆଜି ସକାଳେ ଡିଫେନ୍ସ କଲୋନୀ ସ୍ଥିତ ଘରେ ପହଞ୍ଚି ପୋଲିସ ରୋହିତଙ୍କ ପତ୍ନୀ ଓ ଚାକରକୁ ପଚରାଉଚରା କରିଥିଲା ।
ଯାଞ୍ଚ ସମୟରେ ଆଉ ଏକ ଦିଗ ପୋଲିସ ନଜରକୁ ଆସିଛି । ରୋହିତଙ୍କୁ ହତ୍ୟା କରାଯାଇଥିବା ଦିନ କୌଣସି ବାହାରର ବ୍ୟକ୍ତି ଘରକୁ ଆସିନଥିବା ସିସିଟିଭି ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଛି । ତେଣୁ ପୋଲିସର ସନ୍ଦେହଘେରରେ ଏବେ ପୁରା ପରିବାର । ପୋଲିସ ରୋହିତଙ୍କ ପରିବାରର ଚାକର ଓ ପତ୍ନୀ ଅପୂର୍ବାଙ୍କୁ ପଚରାଉଚରା କରିଛି ।

