ଉଦଘାଟନୀ ଉତ୍ସବରେ ଓଡ଼ିଶାର ଅତୁଳନୀୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଙ୍ଗୀତ, ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଛି । ଓଡ଼ିଶା ପର୍ବରେ ଦିଲ୍ଲୀବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଏହାସହିତ ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହେଉଛି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ । ଓଡ଼ିଶାର ସାମଗ୍ରିକ ଗୌରବର ଫର୍ଦ୍ଦକୁ ଯୋଡ଼ି ମୁକ୍ତକଣ୍ଠରେ ଓଡ଼ିଶାର ଯଶ, କୀର୍ତ୍ତିକୁ ପରିବ୍ରାଜକ ସାଜି ମୁକ୍ତକଣ୍ଠରେ ଉଦଘୋଷଣ କରୁଛି ତିନି ଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶା ପର୍ବ । ଓଡ଼ିଶା ପର୍ବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ, ମିଷ୍ଟାନ୍ନ, ଷ୍ଟ୍ରିଟ୍ଫୁଡ୍ ପ୍ରଦର୍ଶିତ ହେଉଛି ।
ଉଦଘାଟନୀ ସଂଧ୍ୟାରେ ପରିବେଷଣ ହେଉଛି ନାଟକ ‘ଆହେ ନୀଳଶଇଳ’ । କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଚନା ପ୍ରତିଯୋଗିତାରେ ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହାପୂର୍ବରୁ ଆଜି ଓଡ଼ିଆ ଅସ୍ମିତା ଶୀର୍ଷକ ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ନିର୍ଦ୍ଦେଶକ, ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, NMA ଅଧ୍ୟକ୍ଷ ପ୍ରଫେସର ବାସା, ପ୍ରଫେସର ମୋସୁମୀ ଦାସ ପ୍ରମୁଖ । ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ଛାତ୍ରଛାତ୍ରୀମାନେ ଦିଲ୍ଲୀର ହଜଖାସ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।