ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନ୍ୟପଟେ କଂଗ୍ରେସ ସହ ମେଣ୍ଟ ପ୍ରୟାସ ଫେଲ୍ ମାରିବା ପରେ କେଜ୍ରିୱାଲ ବାଉଳି ହେଉଛନ୍ତି । ନିଜର ପ୍ରତିଶ୍ରୁତି ପତ୍ର ଘୋଷଣା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନେଇ କେଜ୍ରିୱାଲ ଦେଇଥିବା ବୟାନ ଏବେ ଚହଳ ପକାଇଛି । ଦେଶର ରାଜନୀତିରେ ଏବେ କେଜ୍ରିୱାଲଙ୍କ ବୟାନ ଗୁରୁତ୍ୱ ବହନ କରିଛି । ଯଦି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ପଛର କାରଣ କେବଳ ରାହୁଲ ଗାନ୍ଧି ବୋଲି କହିଛନ୍ତି କେଜ୍ରିୱାଲ ।
କେଜ୍ରିୱାଲ କହିଛନ୍ତି, ‘ମୁଁ ବହୁତ ପ୍ରୟାସ କଲି କଂଗ୍ରେସ ସହ ମେଣ୍ଟ କରିବାକୁ । କିନ୍ତୁ କିଛି ହୋଇପାରିଲାନି । ଯଦି ମୋଦି ଏବଂ ଅମିତ ଶାହଙ୍କ ଯୋଡ଼ି ପୁଣିଥରେ ସତ୍ତାକୁ ଆସେ ତେବେ ଏଥିପାଇଁ କେବଳ ରାହୁଲ ଗାନ୍ଧି ହିଁ ଦାୟୀ ।’
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ମେଣ୍ଟ ଟ୍ୱିଟରରେ ହୁଏ ନାହିଁ । ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯଦି ମେଣ୍ଟକୁ ନେଇ ସେ ଇଚ୍ଛୁକ ଥିଲେ ତେବେ ଟେବଲ୍ ଉପରେ ଆଲୋଚନା କରିବାର ଥିଲା । ଲୋକଙ୍କ ମଧ୍ୟରେ ବୟାନବାଜି କଲେ ଅସୁବିଧାର ସମାଧାନ ହୁଏନାହିଁ ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ତାଙ୍କ ପାର୍ଟି ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ ସହିତ ମେଣ୍ଟ କରିବାକୁ ରାଜି ଅଛି । କିନ୍ତୁ ହରିୟାଣାରେ ମେଣ୍ଟକୁ ନେଇ କରୁଥିବା ଜିଦ୍କୁ ଛାଡ଼ିବାକୁ ହେବ । ତାପରେ କେଜ୍ରିୱାଲଙ୍କ ଏହି ବୟାନ ଏବେ ଦେଶର ରାଜନୀତିକୁ ଖୋରାକ ଯୋଗାଇଛି ।
