ନୁତନ ରାଷ୍ଟ୍ରପତି ଭାବେ ମୟୂରଭଞ୍ଜ ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ନେଇଥିବାରୁ ଜିଲ୍ଲାର ଆଦିବାସୀ ବର୍ଗଙ୍କ ମହଲରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ । ଜିଲ୍ଲାର ଖୁଣ୍ଟା ବ୍ଲକ ଡୁକୁରା ଠାରେ ପାରମ୍ପରିକ ବାଦ୍ୟ ବଜାଇ ନାଚଗୀତ ମାଧ୍ୟମରେ ମାଟିର ଝିଅଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଦ୍ରୌପଦୀଙ୍କ ଗାଁ , ଉପରବେଡା , ରାଇରଙ୍ଗପୁର ସହର ନିକଟସ୍ଥ ବିଭନ୍ନ ସାହି ସହିତ ବଡାମତଳିଆ, ଜାମଦା, ଶଶୁର ଘର ଗାଁ ପାହାଡପୁର ଆଦି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଇଥିଲା ସ୍ବାଗତ ସଭା ।
କୁଚିଣ୍ଡାର ଲାଡ ବାଇପାସ ଛକଠାରେ ଦଳିତ ବିକାଶ ମଞ୍ଚ ପକ୍ଷରୁ ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରାଯାଇଥିଲା । ବାଉରୀଗୋଡ଼ା ଠାରେ ଗ୍ରାମର କିଛି ଯୁବକ ବାଜା ବଜାଇ ନାଚ ଗୀତ କରିବା ସହିତ ଗ୍ରାମ ପରିକ୍ରମା କରି ପରସ୍ପରକୁ ମିଠା ଖୁଆଇଥିଲେ । ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ଉତ୍ସବ ପାଳନ କରିଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଆଦିବାସୀ ନୃତ୍ୟ ଠାରୁ ଆରମ୍ଭ କରି ଢୋଲ, ମୃଦଙ୍ଗ ଓ ଘଣ୍ଟା ବଜାଇଲେ, ବାଣ ଫୁଟାଇ ଖୁସି ମନାଇଲେ ବିଜେପି କର୍ମୀ । ନେତା ଓ କର୍ମୀ ଶପଥ ଗ୍ରହଣ ସମାରୋହକୁ ଟେଲିଭିଜନ ମାଧ୍ୟମରେ ଲାଇଭ ଦେଖିଥିଲେ । ଭୁବନେଶ୍ବର ଆଇଗିଣିଆରେ ଭୁବନେଶ୍ବର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ପାହାଡ ଆକୃତିର ବୁନ୍ଦିଆ ଲଡୁକୁ । ଏହି ଖାସ ପ୍ରସ୍ତୁତି ଦ୍ରୌପଦୀଙ୍କ ପାଇଁ । ଏକ କ୍ବିଣ୍ଟାଲ ଓଜନର ଏହି ଲଡୁ ତିଆରି ହୋଇଥିବା ବିଜୟ ଉତ୍ସ ବ ମନାଇବା ପାଇଁ ।
ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ବିଧାନସଭାରେ ସଂକଳ୍ପ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରସ୍ତାବକୁ ଆଗତ କରିଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କର ଏକ ଟିମ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଏନେଇ ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି । ଜଣେ ଆଦିବାସୀ ଭାବେ ପ୍ରଥମଥର ପାଇଁ ଜଣେ ମହିଳା ସେ ପୁଣି ଓଡିଶାରୁ ରାଇସିନା ସିଂହାସନରେ ରାଜ କରିବାର ଏ ଦୃଶ୍ୟ ଆଜି ଖାଲି ଓଡିଆଙ୍କୁ ନୁହେଁ ବିଶ୍ବ ଦରବାରରେ ଓଡିଶାର ଭିନ୍ନ ଏଖ ପରିଚୟ ସୃଷ୍ଟି କରିଛି ।