ସାରା ବର୍ଷରେ ଇଏ ଗୋଟିଏ ମାତ୍ର ପର୍ବ ଯାହା ପଞ୍ଜିକା ଆଧାରରେ ନୁହେଁ ବରଂ ଇଂରାଜୀ କ୍ୟାଲେଣ୍ଡର ଆଧାରରେ ପାଳନ କରାଯାଏ । ମକର ସଂକ୍ରାନ୍ତି କିମ୍ବା ମହାବିଷୁବ ସଂକ୍ରାନ୍ତିରେ ଯେମିତି ଭାରତୀୟମାନେ ମନ୍ଦିର ଯାଇ ମଙ୍ଗଳ ମନାସନ୍ତି ଠିକ୍ ସେହି ଧାରାରେ ଇଂରାଜୀ ନୂଆ ବର୍ଷରେ ବି ମନ୍ଦିର ଯାଇଛନ୍ତି ପୂଜାର୍ଚ୍ଚନା କରିଛନ୍ତି ସମସ୍ତେ । ଆଦୌ ଅନୁଭବ କରି ହେଉନି ଯେ ଇଏ ଏକ ପାଶ୍ଚାତ୍ୟ ପର୍ବ ବୋଲି । ଆଉ ମନ୍ଦିରଗୁଡ଼ିକରେ ବି ଅନ୍ୟ ଭାରତୀୟ ପର୍ବ ପରି ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି ।
ବ୍ରିଟିଶ୍ ଶାସନ କାଳରେ ଭାରତରେ ଇଂରାଜୀ କ୍ୟାଲେଣ୍ଡରର ପ୍ରଚଳନ ହୋଇଥିଲା । ଲମ୍ବା ସମୟ ଧରି ଇଂରାଜୀ କ୍ୟାଲେଣ୍ଡର ଆଧାରରେ ଚାଲିଥିଲା ଭାରତରେ ଶାସନ । ଏଥିରେ ଅଭ୍ୟସ୍ତ ହୋଇଯାଇଥିଲେ ଭାରତୀୟ । ଯେଉଁଥିପାଇଁ ସ୍ବାଧୀନତା ପରବର୍ତ୍ତି କାଳରେ ବି କାଳ ଗଣନା ପାଇଁ ଭାରତୀୟମାନେ ଇଂରାଜୀ କ୍ୟାଲେଣ୍ଡରକୁ ଅନୁସରଣ କରିଥିଲେ । କାଳକ୍ରମେ ଜାନୁଆରୀ 1ରେ ନୂଆ ବର୍ଷ ପାଳନ ଏକ ସାଧାରଣ ପରମ୍ପରା ପାଲଟିଗଲା । ଏହି ପାଶ୍ଚାତ୍ୟ ପର୍ବକୁ ଭାରତୀୟ ପାଳନ କରୁଛନ୍ତି ସତ କିନ୍ତୁ ନିଜସ୍ବ ଶୈଳୀରେ । ଅବଶ୍ୟ ଏଥିରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି କିଛି ଲୋକ ପାଶ୍ଚାତ୍ୟ ସଂସ୍କୃତି ପଛର ଗୋଡାଇ ଜିରୋ ନାଇଟ୍ ସେଲିବ୍ରେସନ ନାଁରେ ମଦ ପିଇ ବିଦେଶୀ ନାଚ ଗୀତରେ ମାତୁଛନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ଏବେବି ନଗଣ୍ୟ । ଅଧିକାଂଶ ଭାରତୀୟ ତ ସନାତନୀ ପରମ୍ପରା ଅର୍ଥାତ ସାତ୍ୱିକ ଉପାୟରେ ପାଳନ କରୁଛନ୍ତି ନୂଆବର୍ଷ ।