ସାଙ୍ଗମାନଙ୍କ ସହ ମସ୍ତି କରୁ କରୁ ଜଳଭଣ୍ଡାରରେ ଗଳିପଡିଲା ଦାମିକିଆ ଫୋନ । ଆଉ ନିଜ ପାୱାର୍ ର ପାଇଦା ଉଠାଇବାକୁ ଟିକିଏ ହେଲେ ବି ପଛ ଘୁଞ୍ଚା ଦେଲେନି ଏହି ସରକାରୀ ବାବୁ । କାଳ ବିଳମ୍ବ ନକରି ଜଳଭଣ୍ଡାରରୁ 21 ଲକ୍ଷ ଲିଟର ପାଣି କାଢି ଦେଲେ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର କୋଏଲିବେଡା ବ୍ଲକରେ । ଆଉ ବଡ ବାବୁ ଜଣଙ୍କ ହେଲେ ରାଜେଶ ବିଶ୍ୱାସ । ଫୁଡ୍ ଇନିସପେକ୍ଟର ଭାବରେ ଏହି ବ୍ଲକରେ ପୋଷ୍ଟିଂ ।
ସଫେଇ ଦବାକୁ ଯାଇ ବାବୁ କହିଛନ୍ତି ମୋ ଫୋନ୍ ଗଳି ପଡିବା ପରେ "ମୁଁ SDOଙ୍କୁ ଯୋଗାଯୋଗ କରିଥିଲି । ଆଉ ଜଳଭଣ୍ଡାରରୁ କିଛି ପାଣି କାଢିବାକୁ ଅନୁରୋଧ କରିଥିଲି । ଏସଡିଓ ସାର୍ କହିଲେ ଏହି ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଯଦି 3 ରୁ 4 ଫୁଟ୍ ଜଳ ନିଷ୍କାସନ କରାଯାଏ ତାହେଲେ କୌଣସି ଅସୁବିଧା ହେବନି । ବରଂ କୃଷକଙ୍କୁ ସାହାଯ୍ୟ ହେବ । ସେଥିପାଇଁ ମୁଁ ସ୍ଥାନୀୟ ଲୋକଙ୍କଠାରୁ ପ୍ରାୟ ତିନି ଫୁଟ ପାଣି ନିଷ୍କାସନ ପାଇଁ ସାହାଯ୍ୟ ଲୋଡି ଥିଲି । ଆଉ ମୋ ଫୋନକୁ ଫେରାଇ ଆଣିଲି। "
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଖେରକାଟା ଡ୍ୟାମକୁ ଛୁଟିରେ ବୁଲିବାକୁ ଯାଇଥିଲେ ଫୁଡ୍ ଇନିସପେକ୍ଟର ରାଜେଶ ବିଶ୍ୱସ । ହେଲେ ବୁଲା ବୁଲି କରିବାବେଳେ ଭୂଲ୍ ରେ ଫୁଡ୍ ଅଫିସରଙ୍କ ହାତରୁ ସ୍ମାର୍ଟ ଫୋନଟି ପାଣି ଭିତରେ ଗଳି ପଡିଥିଲା । ବାବୁଙ୍କ ଲକ୍ଷେ ଟଙ୍କିଆ ଫୋନଟି 15 ଫୁଟ୍ ତଳକୁ ପଳେଇଥିଲା । ସାଙ୍ଗେ ସାଙ୍ଗେ ସେ ଶ୍ରମିକଙ୍କୁ ଫୋନ ଖୋଜିବାକୁ କାମରେ ଲଗାଇଥିଲେ । ହେଲେ ଫୋନ ନମିଳିବାରୁ ଜଳଭଣ୍ଡାରୁ ପାଣି ନିଷ୍କାସନ କରିବାକୁ ସ୍ଥିର କଲେ ।
ଆଉ ନିଜ ପାୱାର୍ ଲଗାଇଦେଲେ । ବଡ ବଡ ପମ୍ପ ଲଗାଇ ପାଣି କାଢିବାକୁ ଲାଗିଲେ । ଶେଷରେ ତାଙ୍କ ଫୋନକୁ ଫେରି ପାଇଲେ ।
ପରେ ଏହି ଘଟଣା ଜଣାପଡିବା ପରେ କାନକେର୍ ଜିଲ୍ଲାପାଳ ପ୍ରିୟଙ୍କା ଶୁକଲା ପାୱାରକୁ ମିସ୍ ୟୁଜ୍ କରିଥିବା ନେଇ ତାଙ୍କୁ ସଙ୍ଗେ ସଙ୍ଗେ ସସପେଣ୍ଡ କରିଥିବା ଜଣାପଡିଛି ।
ସେପଟେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କଂଗ୍ରେସ ସରକାରକୁ ଖୁବ ଟାର୍ଗେଟ କରିଛି ବିଜେପି । କଂଗ୍ରେସ ରାଜରେ ସରକାରୀ ଅଫିସର ରାଜ୍ୟର ସମ୍ପତ୍ତିକୁ ବ୍ୟକ୍ତିଗତ ସମ୍ପତ୍ତି ଭାବୁଛନ୍ତି ବୋଲି କହିଛି ବିଜେପି ।
ଆହୁରି ପଢନ୍ତୁ ଭାରତ ଖବର...