ମିଳିଥିବା ସୂଚନା ଅନୁସାରେ, ଏନଆଇଏ ପକ୍ଷରୁ ପିଏଫଆଇର ଯେଉଁ ସମ୍ପତ୍ତି ଗୁଡିକୁ ଆଟାଚ୍ କରାଯାଇଛି ସେଗୁଡିକ ମଧ୍ୟରେ କୋଟା ସହରର ରାମପୁରା ଥାନା ଅଂଚଳରେ ଥିବା ମସଜିଦ ନିକଟରେ ଥିବା କାର୍ଯ୍ୟାଳୟ ସାମିଲ ରହିଛି । ଅନ୍ୟ ଏକ କାର୍ଯ୍ୟାଳୟ ରାଜଧାନୀ ଜୟପୁର ସହରରେ ରହିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ବର୍ଷ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସମ୍ପର୍କରେ ଏକ ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା । ବିହାରରେ ପୋଲିସ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଏକ ମଡ୍ୟୁଲକୁ ଧରିଥିଲେ । ସେତେବେଳେ ଏହି ସଂଗଠନ 2047 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଭାରତକୁ ଇସଲାମୀ ଦେଶ କରିବାର ଯୋଜନା କରିଥିବା ନେଇ ଖୁଲାସା ହୋଇଥିଲା । ଏହାକୁ ନେଇ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଡକ୍ୟୁମେଣ୍ଟ ମଧ୍ୟ ସେତେବେଳେ ପୋଲିସ ପାଇଥିଲା ।
ବିଦେଶରୁ ଫଣ୍ଡ ଆଣି ଭାରତରେ ଇସଲାମୀ କଟ୍ଟରପନ୍ଥୀମାନଙ୍କୁ ପ୍ରୋତ୍ସାହନ ଦେବା ଓ ଭାରତକୁ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଥିବା ସଂଗଠନ ବିରୁଦ୍ଧରେ ଏନଆଇଏ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କିଛି ଦିନ ତଳେ ଏନଆଇଏ ଏହି ସଂଗଠନର ଜଡିତ ଲୋକମାନଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ରାଜସ୍ଥାନରେ ସାଂପ୍ରଦାୟିକତାକୁ ବଢାଇବାକୁ କାମ କରୁଥିବା ନେଇ ଚାର୍ଜ ସିଟରେ ଉଲ୍ଲେଖ କରାଯାଇଥିଲା ।
କେବଳ ସେତିକି ନୁହେଁ ଏହି ସଂଗଠନ ସହ ଜଡିତ ଲୋକମାନେ ସାଧାରଣ ମୁସଲମାନ ଯୁବକମାନଙ୍କୁ ଭ୍ରମିତ କରି ସେମାନଙ୍କୁ କଟ୍ଟର କରୁଥିଲା । ଭାରତରେ ଇସଲାମ ବିପଦରେ ଥିବା କଥା କହି ସେମାନଙ୍କର ବ୍ରେନ ୱାସ କରୁଥିଲେ । 2047 ମସିହା ସୁଦ୍ଧା ଭାରତକୁ ଇସଲାମୀ ଦେଶରେ ପରିଣତ କରିବା ଓ ଭାରତ ଉପରେ ଇସଲାମୀ ଶାସନ ଓ ଶରିଆ ଆଇନ ଲାଗୁ କରିବାର ସ୍ୱପ୍ନ ମୁସଲମାନ ଯୁବକ ମାନଙ୍କୁ ଦେଖାଇ ସେମାନଙ୍କୁ ଅସ୍ତ୍ର ଶସ୍ତ୍ର ଚଳାଇବାର ତାଲିମ ଦେଉଥିଲା ।
ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବିରୁଦ୍ଧରେ ଭାରତ ସରକାର ବଡ ପଦକ୍ଷେପ ଗ୍ରହଣ କରି ଏକା ଦିନ ଏହାର ସମସ୍ତ ନେତାଙ୍କୁ ଗିରଫ କରିବା ସହ ଏହି ସଂଗଠନକୁ ପ୍ରତିବନ୍ଧିତ କରିଥିଲେ ।
ଗତ କିଛି ବର୍ଷ ଧରି ସାରା ଦେଶରେ ପରିବେଶକୁ ଖରାପ କରିବା କାମରେ ଲାଗିଥିଲା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ । ଧୀରେ ଧୀରେ ଏହି ସଂଗଠନ ଭୟଙ୍କର ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦୀନର ରାସ୍ତାରେ ଯାଉଥିଲା । ଦୁଇ ବର୍ଷ ପୂର୍ବେ ସିଏଏ ଆଇନ ପ୍ରଣୀତ ହେବା ପରେ ସାରା ଦିଲ୍ଲୀର ଶାହିନବାଗ ଠାରେ ଅନେକ ମାସ ଧରି ଆନ୍ଦୋଳନ କରିବା ସହ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଉତ୍ତର ପୂର୍ବ ଦିଲ୍ଲୀରେ ଭୀଷଣ ଦଙ୍ଗା କରାଇବା ପଛରେ ପିଏଫଆଇ ରହିଥିଲା । ଗୃହ ମନ୍ତ୍ରଣାଳୟ ଯେତେବେଳେ ଏହାର ଯାଞ୍ଚ କରିଥିଲା ସେତେବେଳେ ଏହି ସଂଗଠନର ଭୂମିକା ମନ୍ତ୍ରଣାଳୟକୁ ଚକିତ କରି ଦେଇଥିଲା ।
ଆହୁରି ପଢନ୍ତୁ ଭାରତ ଖବର...