ବଖତିଆରପୁରର ଗଣେଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ ନୀତିଶ। ପାଠ ପଢାରେ ସେ ଥିଲେ ପ୍ରବୀଣ, ଯାହା ତାଙ୍କୁ ଇଞ୍ଜିନିୟର ହେବାରେ ସାହାଯ୍ୟ କରିଥିଲା । ତାଙ୍କ ଶିକ୍ଷକ କେବେ ଚିନ୍ତା କରିନଥିଲେ ଯେ, ନୀତିଶ କେବେ ବିହାରର ମୁଖ୍ୟମନ୍ତ୍ରୀ ହେବେ । ପରେ ସେ ବିହାର କଲେଜ ଅଫ୍ ଇଞ୍ଜିନିୟରିଂରେ ଯୋଗଦାନ କରିଥିଲେ । ନୀତିଶଙ୍କ ବାପା ଉକ୍ତ ସମୟରେ ଗାନ୍ଧୀଙ୍କ ଅନୁଗତ ଥିଲେ । ଏହାଦ୍ୱାରା ନୀତିଶ କୁମାର ଛୋଟବେଳରୁ ହିଁ ରାଜନୀତିକୁ ବେଶ ପାଖରୁ ଦେଖିଥିଲେ । ଅଧ୍ୟୟନ ସମାପ୍ତ ହେବା ପରେ ନୀତିଶ କୁମାର ଫେବୃଆରୀ 22, 1973ରେ ଶିକ୍ଷକ ମଞ୍ଜୁ ସିହ୍ନାଙ୍କୁ ବିବାହ କରିଥିଲେ। ସେହିପରି 1974 ମସିହାରେ ଜୟପ୍ରକାଶ ନାରାୟଣଙ୍କ ପ୍ରେରଣା କ୍ରମେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ନୀତିଶ।
ଜେପି ଆନ୍ଦୋଳନରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। 1980 ମସିହାରେ ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କୁ ରାଜନୀତିରେ ଅନ୍ତରଙ୍ଗ ବିଫଳତାର ସାମ୍ନା କରିବାକୁ ପଡିଥିଲା। 1985ରେ ସେ ପ୍ରଥମ ନିର୍ବାଚନରେ ସଫଳତାର ସ୍ୱାଦ ଚାଖିଥିଲେ ଯେତେବେଳେ ସେ ବିଧାନସଭା ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ। ସେହିପରି 1989ରେ ନୀତିଶ ଜାତୀୟ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କୁ ଜନତା ଦଳର ସାଧାରଣ ସମ୍ପାଦକ କରାଯାଇଥିଲା, ଯାହାକି ଭି ପି ସିଂଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠିତ ହୋଇଥିଲା। ନୀତିଶ 1989ରେ ବାର ନିର୍ବାଚନମଣ୍ଡଳୀରୁ ନବମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ଭି ପି ସିଂଙ୍କ ସରକାରରେ ନୀତିଶଙ୍କୁ କୃଷିମନ୍ତ୍ରୀର ଦାୟିତ୍ୱ ମିଳିଥିଲା । ପରେ ମାର୍ଚ୍ଚ 2000 ମସିହାରେ ନୀତିଶ କୁମାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଭାରତୀୟ ରାଜନୀତିରେ ତାଙ୍କ ରାଜନୈତିକ ଗୋଟି ବେଶ ସୁଦୃଢ । ଯାହାକୁ ଭୟ କରନ୍ତି ସବୁ ରାଜନୈତିକ ଦଳ ।