ସେଠାରେ ଘଣ୍ଟାଏରୁ ଅଧିକ ସମୟ ରହି ଦାୟିତ୍ବରେ ଥିବା ଅଧିକାରୀଙ୍କର ସହ ଟିକିନିଖି ଆଲୋଚନା କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରେଳ ଦୁର୍ଘଟଣାରେ ବ୍ୟାପକ କ୍ଷତିଗ୍ରସ୍ତ ରେଳ ଧରଣାଗୁଡ଼ିକର ମରାମତି କାର୍ଯ୍ୟରେ ଦିନରାତି ଏକ କରିଦେଇଛନ୍ତି ରେଳ ବିଭାଗ ସହ ଏନଡିଆରଏଫ ଟିମ୍ । ମଙ୍ଗଳବାର ସୁଦ୍ଧା ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଯିବ ବୋଲି ଭରସା ଦେଇଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ ।
ଶୁକ୍ରବାର ସନ୍ଧ୍ୟାରେ ବାହାନଗା ବଜାରରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣା ପରେ ଏବେ 3ଟି ବଡ଼ ଚ୍ୟାଲେଞ୍ଜ । ଆହତଙ୍କର ଉତ୍ତମ ଚିକିତ୍ସା, ମୃତଦେହ ଚିହ୍ନଟ କରି ପରିବାରକୁ ହସ୍ତାନ୍ତର ଏବଂ ରେଳ ଚଳାଚଳ ସ୍ବାଭାବିକ କରିବା । ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ 100 ରୁ ଅଧିକ ଆହତଙ୍କର ଚାଲିଛି ଚିକିତ୍ସା । ଭଦ୍ରକ, ବାଲେଶ୍ବର, ଏସସିବି, କ୍ୟାପିଟାଲ ହସପିଟାଲ ଓ ଏମସରେ ଆହାତମାନଙ୍କର ଚିକିତ୍ସା କରାଯାଉଛି । ରବିବାର ସୋର ଓ ଭଦ୍ରକ ଡାକ୍ତରଖାନାରେ ଆହତଙ୍କୁ ଭେଟି ଚିକିତ୍ସା କାର୍ଯ୍ୟର ସମୀକ୍ଷା କେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ।
ସେପେଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ପ୍ରଥମେ ଏମସ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ଭେଟିଥିଲେ। ଚିକିତ୍ସା କାର୍ଯ୍ୟର ସମୀକ୍ଷା କରିବା ସହ ଏମମସକୁ ଅଣାଯାଇଥିବା 100 ଟି ମୃତଦେହକୁ କିପରି ସଂରକ୍ଷିତ କରି ରଖାଯିବ ଓ ଠିକଭାବେ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତ୍ର କରାଯିବ ସେ ନେଇ ଭୁବନେଶ୍ବର ଏମସ କର୍ତ୍ତୁପକ୍ଷଙ୍କ ସହ କରିଥିଲେ ଆଲୋଚନା। ଏହାପରେ କ୍ୟାପିଟାଲ ହସପିଟାଲ ଯାଇ ଆହତଙ୍କ ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ କେନ୍ଦ୍ରମନ୍ତ୍ରୀ।
ଏହାପରେ ଏସସିବି ମେଡ଼ିକାଲରେ ଏକାଠି ପହଞ୍ଚିଥିଲେ ତିନି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମଣ୍ଡଭିୟ ପ୍ରଥମେ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଚିକିତ୍ସାଧୀନ ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
ରବିବାର ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି 17 ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଡାକ୍ତର ଟିମ୍ ଏମାନଙ୍କର ମଧ୍ୟରେ ଅଛନ୍ତି ମୃତଦେହ ସଂରକ୍ଷଣ ବିଶେଷଜ୍ଞ। । ଭୁବନେଶ୍ବର ଏମ୍ସରେ ପହଂଚି ବୈଠକ କରିଛନ୍ତି ବିଶେଷଜ୍ଞ ଟିମ୍। ପରେ ବିଭିନ୍ନ ହସପିଟାଲ ଯାଇ ସେମାନେ ଆହତଙ୍କର ଚିକିତ୍ସାରେ ସହଯୋଗ କରିବେ। ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ସାଥିରେ ଚିକିତ୍ସା ଉପକରଣ ଓ ମେଡ଼ିସିନ ମଧ୍ୟ ଆଣିଛନ୍ତି। ସେପେଟ କେନ୍ଦ୍ର ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ସହାୟତା ଗୁରୁତର ଓ ସାମାନ୍ୟ ଆହତଙ୍କୁ ତତକ୍ଷଣାତ ଯୋଗାଇ ଦିଆଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...