ନୂଆଦିଲ୍ଲୀ: ୨୦୨୦ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ ଡବ୍ଲୁଏଫ୍ପିକୁ ୨୦୨୦ ନୋବେଲ ଶାନ୍ତି ପୁରସ୍କାର ମିଳିବ। ଏନେଇ ଆଜି ନୋବେଲ କମିଟି ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ନୋବେଲ ପୁରସ୍କାର ସ୍ଵିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଏ। ପୁରସ୍କାର ଭାବେ ସ୍ଵର୍ଣ୍ଣ ପଦକ ଏବଂ ଏକ କୋଟି ସ୍ଵିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ । ଶାନ୍ତି କ୍ଷେତ୍ରରେ ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ଆଜି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି। ନୋବଲେ କମିଟି ଅଧ୍ୟକ୍ଷ ବୋରିଟ୍ ରାଇସ ଆଣ୍ଡସର୍ନ କହିଛନ୍ତି ୨୦୧୯ରେ ୮୮ ଦେଶରେ ପ୍ରାୟ ୧୦ କୋଟି ଲୋକଙ୍କୁ ଓ୍ବାର୍ଲ୍ଡ ଫୁଡ୍ ପୋଗ୍ରାମର ସହାୟତା ପହଞ୍ଚି ଥିଲା। ଉଲ୍ଲେଖନୀୟ ଏହା କ୍ଷୁଧା ଦୂର କରିବା ତଥା ଖାଦ୍ୟ ସୁରକ୍ଷାକୁ ଅଗ୍ରାଧିକାର ଦେବାର ସବୁଠୁ ବଡ଼ ସଂଗଠନ। ନୋବଲେ ଶାନ୍ତି ପୁରସ୍କାର ପାଇଁ ଚଳିତ ବର୍ଷ ୩୧୮ ନାମାଙ୍କନ ଆସିଥିଲା। ଏଥିରେ ୧୦୭ ସଂଗଠନ ସାମିଲ ଅଛି। ଏହି ତାଲିକାରେ ସାମିଲ ନାଁକୁ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଗୋପନୀୟ ରଖାଯାଏ। ଏଥିପାଇଁ ଏହା ଅନୁମାନ ଲଗାଇବା କଷ୍ଟକର ଯେ ପୁରସ୍କାର କାହାକୁ ମିଳିବ।