ଅର୍ଗସ ବ୍ୟୁରୋ: ପ୍ରଥମେ ଧାରା 370 ଆଉ ତା ପରେ ଆସିଲା ସିଏବି । ଆଉ ଏବେ ଫୋକସ୍ରେ ସିସିସି । ଦ୍ୱିତୀୟ ପାଳିର 200 ଦିନ ନ ପୁରୁଣୁ ଦୁଇଟି ବଡ଼ ବଡ଼ ନିଷ୍ପତ୍ତି ନେଇ ସାରିଛନ୍ତି ମୋଦି ସରକାର । ଯେଉଁ ନିଷ୍ପତ୍ତି ନେବାକୁ ଅନ୍ୟ ସରକାରମାନେ ଚିନ୍ତା ବି କରୁନଥିଲେ ତାହା କରିଦେଖାଇଛନ୍ତି ମୋଦି ସରକାର ।
ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବା ମୋଦି ସରକାରଙ୍କ ଏକ ବଡ଼ ସଫଳତା କହିଲେ ଅତ୍ୟୁକ୍ତି ହେବ ନୁହେଁ । ଉଭୟ ଗୃହରେ ବହୁମତ ସହ ଏହି ବିଲ୍ ପାରିତ ହୋଇଛି । ଦୀର୍ଘ ବର୍ଷ ଧରି ଭାରତୀୟ ଲୋକଙ୍କ ମନ ଭିତରେ ଚାପି ହୋଇ ରହିଥିବା ପ୍ରଶ୍ନର ଉତ୍ତର ଥିଲା ଏହି ନାଗରିକତା ସଂଶୋଧନ ବିଲ୍ ।
ସେହିଭଳି ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନିଷ୍ପତ୍ତି ମୋଦି ସରକାରଙ୍କର ଏକ ବଡ଼ ସଫଳତା ମଧ୍ୟ । ଧାରା 370 ଦ୍ୱାରା ଜାମ୍ମୁ-କାଶ୍ମୀରବାସୀଙ୍କ ଯେଉଁ ସମସ୍ୟା ଥିଲା ତାହା ଦୀର୍ଘ 70 ରୁ ଅଧିକ ହେବ ଚାଲି ଆସିଥିଲା । ହେଲେ ମୋଦି ସରକାର ଏହାକୁ ଚୁଟ୍କିରେ ହଟାଇ ଜାମ୍ମୁ କାଶ୍ମୀରବାସୀଙ୍କୁ ମୁକ୍ତ କଲେ ।
ଅନ୍ୟପଟେ ରାମ ମନ୍ଦିର ଏବଂ ଟ୍ରିପଲ ତଲାକ୍ ଭଳି ମାମଲାର ମଧ୍ୟ ଫୈସଲା ହୋଇଛି ମୋଦି ସରକାର ସମୟରେ । ଦୀର୍ଘ ବର୍ଷ ଧରି ରାମ ମନ୍ଦିର ଓ ବାବ୍ରି ମସ୍ଜିଦ୍ ନିର୍ମାଣ ନେଇ ବିବାଦ ରହି ଆସିଥିଲା । ଏବେ ସୁପ୍ରିମ୍କୋର୍ଟ ଏହାର ସମାଧାନ କରିସାରିଛନ୍ତି । ସବୁଠାରୁ ବଡ଼ କଥା ହେଲା ବିବାଦୀୟ ଜମିରେ ରାମ ମନ୍ଦିର ନର୍ମାଣ ନେଇ ସୁପ୍ରିମ୍କୋର୍ଟଙ୍କ ଫୈସଲା ପରେ ବି ସାରା ଦେଶରେ କୌଣସି ପ୍ରକାର ବିଶୃଙ୍ଖଳା ଦେଖାଯାଇନାହିଁ ।
ଏଭଳି ବଡ଼ ବଡ଼ ନିଷ୍ପତ୍ତିରେ ମୋଦି ସରକାରଙ୍କୁ ସଫଳତା ମିଳିବା ପରେ ଏବେ ଫୋକସ୍ରେ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ଓ ସମାନ ନାଗରିକ ସଂହିତା (କମନ୍ ସିଭିଲ୍ କୋଡ୍ ବା ସିସିସି) । ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ମୋଦି ସରକାରଙ୍କ ପରବର୍ତ୍ତି ପଦକ୍ଷେପ ଏହି ଦୁଇଟି ନିଷ୍ପତ୍ତି ହୋଇପାରେ । ଏହି ନିଷ୍ପତ୍ତିକୁ ସାରା ଦେଶବାସୀ ସମର୍ଥନ କରିବେ ବୋଲି ମଧ୍ୟ ବିଜେପି ଶିବିରରେ ଆଲୋଚନା ହେଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କିଛି ବରିଷ୍ଠ ବିଜେପି ନେତାଙ୍କ ସହ ଚାଲିଥିବା ଏକ ଅନୌପଚାରିକ ବୈଠକରେ ଏଭଳି ଆଲୋଚନା ହେଉଥିବା ସୂଚନା ମିଳିଛି । ଏହା ଦୁଇଟି ବିଲ୍ ଦ୍ୱାରା ମୋଦି ସରକାରଙ୍କ ସମର୍ଥକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।
ଜଣେ ବରିଷ୍ଠ ବିଜେପି ନେତାଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ବଡ଼ ପଦକ୍ଷେପ ନେବା ପୂର୍ବରୁ ସେ ନିଜ ଭାଷଣରେ ତାହାର ଆଭାସ୍ ଦେଇଥାନ୍ତି । ପୂର୍ବରୁ ନିଜ ଭାଷଣରେ କଳାଧନ, ପ୍ଲାଷ୍ଟିକ୍ ବ୍ୟାନ୍, ସ୍ୱଚ୍ଛ ଭାରତ କଥା କହିଥିଲେ ଏବଂ ପରେ ଏସବୁ କ୍ଷେତ୍ରରେ କଡ଼ା ପଦକ୍ଷେପ ମଧ୍ୟ ନେଇଛନ୍ତି ।
ସେହିଭଳି ଗତ ଅଗଷ୍ଟ 15ରେ ଲାଲ୍କିଲାରେ ମୋଦି ନିଜ ଭାଷଣରେ ଜନସଂଖ୍ୟା ନିୟନ୍ତ୍ରଣ କଥା ମଧ୍ୟ କହିଥିଲେ । ଛୋଟ ପରିବାର ସୁଖି ପରିବାର କହିବା ସହ ଏହାକୁ ଦେଶ ଭକ୍ତି ସହ ମଧ୍ୟ ଯୋଡ଼ିଥିଲେ । ଖାଲି ସେତିକି ନୁହେଁ ଛୋଟ ପରିବାର ରଖିବା ହିଁ ପ୍ରକୃତ ଦେଶଭକ୍ତି । ଆମେ ଦେଶର ଭବିଷ୍ୟତ ଏବଂ ପରବର୍ତ୍ତି ପିଢ଼ି କଥା ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଅନ୍ୟପଟେ ସମାନ ନାଗରିକ ସଂହିତା ବିଲ୍ ଆଣିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏହା ଜନସଂଘର ଏଜେଣ୍ଡା ରହି ଆସିଛି । ଏନେଇ ପୂର୍ବରୁ ବଡ଼ ବଡ଼ ନେତାମାନେ ମଧ୍ୟ ଦାବି କରି ଆସିଛନ୍ତି । କୋର୍ଟରେ ମଧ୍ୟ ଏଥିପାଇଁ ଅନେକ ପିଟିସନ୍ ଦାଖଲ କରାଯାଇଛି । ତେବେ ସମାନ ନାଗରିକ ସଂହିତା ଲାଗୁ ହେବା ଫଳରେ ସବୁ ଧର୍ମର ଲୋକଙ୍କ ପାଇଁ ସମାନ ନିୟମ ରହିବ । ବିବାହ, ଛାଡ଼ପତ୍ର, ଜମିବାଡ଼ି ବା ସମ୍ପତ୍ତି କିଣାବିକା ନେଇ ମଧ୍ୟ ସମାନ ନିୟମ ରହିବ । ଏହି ସବୁ କାରଣରୁ ମୋଦି ସରକାର ଏଭଳି ବିଲ୍ ଆଣିପାରନ୍ତି ବୋଲି କୁହାଯାଉଛି ।
