ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୀର୍ଘଦିନ ଧରି ଅସୁସ୍ଥ ଥିବା ଗୀତା ମେହେଟ୍ଟା ଶନିବାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଗୀତା ମେହେଟ୍ଟା । ଗତ ୨ବର୍ଷ ଧରି ସେ ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ୨୦୧୯ ମସିହାରେ ତାଙ୍କ ସ୍ବାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ ଗୀତା ।
ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସବୁଥିରେ ସିଦ୍ଧହସ୍ତ ଥିଲେ ଗୀତା ମେହେଟ୍ଟା । ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଛନ୍ତି ଛାପ । ୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱର୍କ ପାଇଁ ୧୪ଟି ପ୍ରାମାଣିକ ଚଳଚିତ୍ର ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଅନୁବାଦ ହୋଇଛି । ବିଜୁ ବାବୁଙ୍କ ପରଲୋକ ପରେ ନବୀନ ଯେତେବେଳେ ରାଜନୀତିକୁ ଆସିଥିଲେ ଅଭିଭାବକ ଭଳି ଗୀତା ନବୀନଙ୍କ ସାଙ୍ଗରେ ସବୁବେଳେ ଛିଡ଼ାହୋଇ ମାର୍ଗଦର୍ଶନ କରୁଥିଲେ। ଶେଷଥର ପାଇଁ ୨୦୧୮ ମାର୍ଚ୍ଚରେ କଟକରେ ଥିବା ନିଜ ପୈତୃକ ବାସଭବନ ଆନନ୍ଦ ଭବନକୁ ସଂଗ୍ରହାଳୟ ରୂପାନ୍ତର ସମୟରେ ଓଡ଼ିଶା ଆସିଥିଲେ ଗୀତା ମେହେଟ୍ଟା ।