ଭୁବନେଶ୍ୱର: ଜୁନ୍ 6ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଋଷିଆ ଓ ପୋଲାଣ୍ଡର ହକି ଟିମ୍ । ଆସନ୍ତା ୬ ରୁ୧୫ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ମୋଟ୍ ୮ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଆଗାମୀ ଦୁଇ ଦିନ ମଧ୍ୟରେ ଅନ୍ୟ ଦଳ ଗୁଡ଼ିକ ଆସି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ହକି ଟିମ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ସାରିଛି । ଏହା ସହ କଳିଙ୍ଗ ଷ୍ଟାଡିୟମରେ ଜୋରଦାର୍ ଅଭ୍ୟାସ ମଧ୍ୟ ଆରମ୍ଭ କରି ସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ ବିରେନ୍ଦ୍ର ଲାକ୍ରା ।
ତେବେ ନିଜ ହୋମ୍ ଗ୍ରାଉଣ୍ଡରେ ସେମାନଙ୍କ ପ୍ରଦର୍ଶନ ପ୍ରତି ସମସ୍ତଙ୍କ ନଜର ରହିଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଭାରତ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ଆୟୋଜକ ଭାରତ ସମେତ ଦକ୍ଷିଣ ଆଫ୍ରିକା, ଜାପାନ, ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ, ମେକ୍ସିକୋ ଓ ଆମେରିକା ଆଦି ଦେଶମାନେ ଅଂଶଗ୍ରହଣ କରିବେ ।
