ଅର୍ଗସ ବ୍ୟୁରୋ: ମାଉଣ୍ଟ ଏଲବୃସ୍ ଶିଖରରେ ଝଟକିଲେ ଓଡ଼ିଆ ଝିଅ ଲିପିକା । ବରଗଡ଼ ଡାଲବ ଗାଁର ଲିପିକା ସେଠ୍ ୟୁରୋପ ମହାଦେଶ ତଥା ଋଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ ସଫଳତାର ସହ ଆରୋହଣ କରିଛନ୍ତି । ଲିପିକା ମାଉଣ୍ଟ ଏଲବୃସ୍ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରି ଜୟ ମା’ ସନ୍ତୋଷୀ, ଜୟ ମା’ ସମଲେଶ୍ୱରୀ କହିବା ପରେ ଜାତୀୟ ପତାକା ଗର୍ବର ସହ ଉଡ଼ାଇଥିଲେ । ନିଜର ଏହି ସଫଳତା ଯୋଗୁଁ ସେ ବରଗଡ଼ ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି । ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ଲିପିକା । ପିତା ଲକ୍ଷ୍ମଣ ସେଠ୍ ଓ ମାତା ଅନସୂୟା ସେଠ୍ଙ୍କ ଦ୍ୱିତୀୟ କନ୍ୟା ଲିପିକା ଓଡ଼ିଶାର ଜଣେ ଉଦୀୟମାନ ପର୍ବତାରୋହୀ । ତାଙ୍କର ମାଉଣ୍ଟ ଏଲବୃସ୍ ଆରୋହଣ ସେପ୍ଟେମ୍ବର ୨୮ ତାରିଖରେ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖରେ ଶେଷ ହୋଇଛି । ଏହି ଅଭିଯାନରେ ଭିନ୍ନ ଭିନ୍ନ ଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ । ପର୍ଯ୍ୟାୟକ୍ରମେ ଲିପିକା ସେଠାକାର ପରିବେଶ ଓ ବେସ୍ କ୍ୟାମ୍ପ୍ ସହ ଖାପ ଖୁଆଇ ସାରିବା ପରେ ଗତ ୫ ତାରିଖ ସକାଳୁ ଆଡ଼ଭାନ୍ସ ବେସ୍ କ୍ୟାମ୍ପ୍ ଛାଡ଼ି ଅନ୍ତିମ ଆରୋହଣ ପାଇଁ ବାହାରି ସଫଳତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ୨୦୧୮ ମସିହାରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲି ମାଂଜାରୋକୁ ସେ ସଫଳତାର ସହ ଆରୋହଣ କରିଥିଲେ ।