ନୂଆଦିଲ୍ଲୀ: ସାରା ଦେଶରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କୁ ନେଇ ଢେର୍ ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ଦିଆଯାଇଛି ଏହା ସହ ଇସ୍ପାତ ମନ୍ତ୍ରାଳୟ ମଧ୍ୟ ଦିଆଯାଇଛି । ସେହିଭଳି ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ MSME, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ପଦ ପାଇବା ପରେ ପ୍ରତାପ ଓ ଧର୍ମେନ୍ଦ୍ର ଉଭୟ ଦିଲ୍ଲୀରେ ଜୁଏଲ ଓରାମଙ୍କୁ ଭେଟି ମିଠା ଖୁଆଇଛନ୍ତି । ଖାଲି ସେତିକି ନୁହେଁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ଦିଲ୍ଲୀ ହଜ୍ଖାସ୍ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।
ଅନ୍ୟପଟେ ଓଡ଼ିଶାର ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
Congratulate @dpradhanbjp ji and @pcsarangi ji on being sworn in as Union ministers. Wish you success in living upto the aspirations of every single Indian and presenting the voice of #Odisha at Center.
— Naveen Patnaik (@Naveen_Odisha) May 31, 2019
ବର୍ତ୍ତମାନ ସମୟରେ ରାଜନୀତି ମଇଦାନକୁ ଓହ୍ଲାଇବାର ଅର୍ଥ କେବଳ କୋଟି କୋଟି ଟଙ୍କା ଧରି ଯୁଦ୍ଧ କରିବା । କିନ୍ତୁ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଷଢଙ୍ଗୀ ଏହି ଧାରାକୁ ଭୁଲ୍ ପ୍ରମାଣିତ କରିଛନ୍ତି । ଯେଉଁଠି ଅନ୍ୟ ଦଳର ପ୍ରାର୍ଥୀମାନେ ବଡ଼ ବଡ଼ ଗାଡ଼ି ଓ ମଦ ମାଂସ ଦେଇ, ଟଙ୍କା ଦେଇ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭୋଟ ହାତୋଉଥିଲେ, ସେହି ସମୟରେ ପ୍ରତାପ ଷଢଙ୍ଗୀ ଅଟୋ ଓ ସାଇକେଲରେ ବୁଲି ପ୍ରଚାର କରୁଥିଲେ । ଆଉ ବାହୁବଳି ତଥା ପାଓ୍ୱର କରିଡରର ପାଖଲୋକ ଭାବେ ଜଣାଶୁଣା ବିଜେଡିର କୋଟିପତି ପ୍ରାର୍ଥୀଙ୍କୁ ଚିତ୍ପଟାଙ୍ଗ କରିବାରେ ସଫଳ ମଧ୍ୟ ହୋଇଛନ୍ତି ପ୍ରତାପ । ତାଙ୍କୁ ଓଡ଼ିଶାର ଦ୍ୱିତୀୟ ମୋଦି ବୋଲି ସମ୍ବୋଧନ କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି ।
ସେହିଭଳି ଦ୍ୱିତୀୟଥର ପାଇଁ ମୋଦିଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି ଧର୍ମେନ୍ଦ୍ର । ପ୍ରଥମ ଥର କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବା ପରେ ନିଜ ଦାୟିତ୍ୱକୁ ସୂଚାର ରୂପେ ତୁଲାଇଥିଲେ ଧର୍ମେନ୍ଦ୍ର । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ସଫଳ କରିଛନ୍ତି ଧର୍ମେନ୍ଦ୍ର । ସାରା ଦେଶରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ଯୋଗାଇ ସେମାନଙ୍କ ଦୁଃଖ ବୁଝିଛନ୍ତି । ଧର୍ମେନ୍ଦ୍ରଙ୍କ ଏହି ସଫଳ ପ୍ରୟାସ ଯୋଗୁଁ ଦଳକୁ ମଧ୍ୟ ଅନେକ ଫାଇଦା ହୋଇଛି । ଫଳରେ ପୁଣିଥରେ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି ମୋଦି ।
