ଜୟପୁର: ଜୟପୁରରେ ଆଟାକିଂ ମୁଡରେ ମୋଦି । ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଛନ୍ତି । ଏହି ଅବସରେ ସେ ଭାରତୀୟ ବାୟୁସେନାର ବାଲାକୋଟ୍ ଆକ୍ରମଣ ଏବଂ ମିସନ୍ ଶକ୍ତିର ସଫଳତା କଥା କହିଛନ୍ତି।
ସେ କହିଛନ୍ତି, ମାସେ ବିତିଗଲାଣି, ତଥାପି ପାକିସ୍ତାନ ଶବ ଗଣୁଛି, କିନ୍ତୁ ଆମ ବିରୋଧୀମାନେ ବାଲାକୋଟ୍ ଆକ୍ରମଣର ପ୍ରମାଣ ଖୋଜୁଛନ୍ତି। ଭାରତ ଆତଙ୍କବାଦୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେଇଛି । ସାରା ବିଶ୍ୱ ଭାରତର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ମାତ୍ର ବିରୋଧୀମାନେ ଏପର୍ଯ୍ୟନ୍ତ ପ୍ରମାଣ ଖୋଜୁଛନ୍ତି । ଏହା ସେନା ପ୍ରତି ଅପାମନ ବୋଲି ମୋଦି କହିବା ସହ ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି ।
ସେହିପରି ବୁଧବାର ଦିନ ମିସନ୍ ଶକ୍ତି ଅଭିଯାନରେ ଡିଆର୍ଡିଓ ମହାଶୂନ୍ୟରେ ଗୋଟାଏ କୃତ୍ରିମ ଉପଗ୍ରହକୁ କ୍ଷେପଣାସ୍ତ୍ର ନିକ୍ଷେପକରି ଖସାଇ ଦେବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଫଳତା ଯୋଗୁଁ ଭାରତ ଏଭଳି କ୍ଷମତାସମ୍ପନ୍ନ ସ୍ୱଳ୍ପ କେତୋଟି ଦେଶ ସହ ସମକକ୍ଷ ହୋଇ ପାରିଛି ବୋଲି ସେ କହିଛନ୍ତି। ଆମେ ଏବେ ମହାକାଶର ଚୌକିଦାର ମଧ୍ୟ ହୋଇ ପାରିଛୁ । ମୋଦି ଭାରତର ବୈଜ୍ଞାନିକ ଓ ସେନାକୁ ଭୁରି ପ୍ରଶଂସା କରିଥିଲେ ।
କିନ୍ତୁ ବିରୋଧୀମାନେ ସେନାର ଅପରେସନ ଉପରେ ପ୍ରଶ୍ନ ଉଠାଇଥିବାରୁ ଏବେ ସେମାନଙ୍କୁ ଜବାବ୍ ଦେବାର ସମୟ ଆସିଛି ବୋଲି ମୋଦି କହିଛନ୍ତି ।
