ବାରଣାସୀର ସ୍ୱାମୀ ଶିବାନନ୍ଦ । ବୟସ 125 ବର୍ଷ । କୋରୋନାକୁ ନେଇ ମନରେ ଭୟ ନାହିଁ ବରଂ ସରକାରଙ୍କ ନିୟମ ମାନି ଏକା ଏକା ଆସିଛନ୍ତି ଟିକାକରଣ କେନ୍ଦ୍ର । ଆଉ ସଫଳତାର ପ୍ରଥମ ଡୋଜ ଭ୍ୟାକ୍ସିନ ନେଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା...
ବୁଧବାର ବାରଣାସୀର ଦୁର୍ଗାକୁଣ୍ଡ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ଶିବାନନ୍ଦ । ଆଉ ଯେବେ ନିଜ ଆଧାର କାର୍ଡ ଦେଖାଇଥିଲେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ତାଙ୍କ ବୟସ ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଟିକା ଦେବାକୁ ମଧ୍ୟ ଦ୍ୱିଧା ପ୍ରକାଶ କରିଥିଲେ । କିନ୍ତୁ ବୟସ୍କ ବ୍ୟକ୍ତି ଜଣଙ୍କର ଦୃଢତା ଓ ଉତ୍କଣ୍ଠା ଦେଖି ତାଙ୍କୁ ଟିକା ଦେଇଥିଲେ । ଆହୁରି ଆଶ୍ଚର୍ଯ୍ୟକର କଥା ହେଉଛି ଟିକାକରଣ କେନ୍ଦ୍ରକୁ ତାଙ୍କ ସାଙ୍ଗରେ ପରିବାରର କେହି ମଧ୍ୟ ଯାଇନଥିଲେ । ସେ ଏକା ଏକା ଚାଲିଚାଲି ଯାଇଥିଲେ ।
ବୟସର ଅପରାହ୍ନରେ ବି ସେ ପୁରା ଫିଟ୍ ଅଛନ୍ତି । ଆଉ ଏହାର ରହସ୍ୟ ହେଉଛି ସରଳ ଖାଦ୍ୟ ଓ ନିୟମିତ ଜୀବନ । ଅର୍ଥାତ ସେ ପ୍ରତ୍ୟେକ ଦିନ ସକାଳ 3 ଟାରେ ଉଠିଥାନ୍ତି । ଏହାପରେ ଯୋଗ କରିଥାନ୍ତି । ପ୍ରତିଦିନ କମ୍ ତେଲ ମସଲା କିମ୍ବା ବିନା ତେଲରେ ତିଆରି ସରଳ ଖାଦ୍ୟ ଖାଇଥାନ୍ତି । ଆଉ ଏ ବୟସରେ ବି ନିଜର ସମସ୍ତ କାର୍ଯ୍ୟ ସେ ନିଜେ କରନ୍ତି ।
କୋରୋନା ମହମାରୀକୁ ମାତ୍ ଦେବାକୁ ଦେଶରେ ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ସମସ୍ତଙ୍କୁ ଟିକା ନେବାକୁ ସରକାରଙ୍କ ତରଫରୁ ବିଭିନ୍ନ ମାଧ୍ୟମରେ ପରାମର୍ଶ ମଧ୍ୟ ଦିଆଯାଉଛି । ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମନରେ ଟିକାକୁ ନେଇ ଅନେକ ପ୍ରକାରର ଭ୍ରମ ରହିଛି । ଟିକା ନେଲେ କାଳେ କଣ ହୋଇଯିବ ଏହା ଭାବି ଅନେକ ଲୋକ ଏପର୍ଯ୍ୟନ୍ତ ଟିକା ମଧ୍ୟ ନେଇ ନାହାନ୍ତି । ହେଲେ ଏପରି କ୍ଷେତ୍ରରେ ଶିବାନନ୍ଦଙ୍କ କ୍ଷେତ୍ରରେ ଏହା ବିରଳ ନିଶ୍ଚୟ ।